fbpx

ସୁପ୍ରିମକୋର୍ଟଙ୍କ ଚେତାବନୀ ପରେ ନରମିଲେ କେନ୍ଦ୍ର ସରକାର, ୧୧ ମହିଳା ଅଫିସରଙ୍କୁ ଦେବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ : ପଡିଲା ସୁପ୍ରିମକୋର୍ଟଙ୍କ ଛାଟ। ତା ପରେ ଯାଇ ନରମିଲା କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ। ଆଉ ୧୧ ମହିଳା ଅଫିସରଙ୍କୁ ସ୍ଥାୟୀ କମିଶନ ଦେବା ପାଇଁ ଦେଲେ ନିର୍ଦ୍ଦେଶ। ସୁପ୍ରିମକୋର୍ଟ ଚେତାବନୀ ଦେଇଥିଲେ ଯେ, ଯଦି ଆଦେଶ ପାଳନ କରାଯିବ ନାହିଁ ତେବେ ଅବମାନନା କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନା ଅନୁଯାୟୀ, ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ଏଏସ ବୋପନ୍ନାଙ୍କ ପୀଠ ସେନାର ଅଧିକାରୀଙ୍କୁ ଚେତାବନୀ ଦେଇଥିଲେ ଯେ, ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାରେ ବିଫଳତା କାରଣରୁ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ୧୧ ମହିଳା ଅଧିକାରୀଙ୍କ ଦ୍ଵାରା ଦାୟର ଏକ ଅବମାନନା ଆବେଦନ ଉପରେ ଶୁଣାଣି କରିଛନ୍ତି। ଆବେଦନରେ ଅଦାଲତଙ୍କ ଦ୍ଵାରା ଜାରି ନିର୍ଦ୍ଦେଶର ପାଳନ ହେଉନଥିବା ଅଭିଯୋଗ ହୋଇଥିଲା।

ସରକାରଙ୍କ ପକ୍ଷରୁ ହାଜର ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ଜୈନ ଅଦାଲତରେ କହିଛନ୍ତି ଯେ, ୧୧ ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହା ପରେ ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ଆମେ ମହିଳା ଏସଏସସି ଅଧିକାର ସଂପର୍କିତ ସମସ୍ତ ବାକି ପ୍ରସଙ୍ଗର ସମାଧାନ ହେତୁ ସେନା ଅଧିକାରଙ୍କ ଉଚିତ୍ ଆଭିମୁଖ୍ୟର ପ୍ରଶଂସା କରୁଛୁ। ସେନା ନିଜ ଅଧିକାରରେ ସର୍ବୋଚ୍ଚ ହୋଇପାରେ। ମାତ୍ର ଦେଶର ସାମ୍ବିଧାନିକ ନ୍ୟାୟାଳୟ ନିଜ ଅଧିକାର କ୍ଷେତ୍ରରେ ସର୍ବୋଚ୍ଚ। ସୁପ୍ରିମକୋର୍ଟ ନିକଟରେ ଭାରତୀୟ ସେନାରେ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଆଦେଶ ଦିଆଯାଇଥିଲା। ସେନାରେ ସ୍ଥାୟୀ କମିଶନର ଅର୍ଥ ହେଉଛି ଅବସର ପର୍ଯ୍ୟନ୍ତ କ୍ୟାରିୟର ରହିଥିବା ବେଳେ ସର୍ଟ ସର୍ଭିସ କମିଶନ ୧୦ ବର୍ଷ ପାଇଁ ରହିଥାଏ। ଏଥିରେ ୧୦ ବର୍ଷର ଶେଷ ଆଡକୁ ସ୍ଥାୟୀ କମିଶନ ଛାଡିବା କିମ୍ବା ଚୟନ କରିବାର ବିକଳ୍ପ ରହିଥାଏ। ଯଦି କୌଣସି ଅଧିକାରୀଙ୍କୁ ସ୍ଥାୟୀ କମିଶନ ମିଳିନଥାଏ ତେବେ ଅଧିକାର ଆଉ ୪ ବର୍ଷ କାର୍ଯ୍ୟକାଳ ବିକଳ୍ପ ଚୟନ କରି ପାରିବେ।

Get real time updates directly on you device, subscribe now.