fbpx

୨୦୩୨ ସୁଦ୍ଧା ଦେଶର ମୋଟ୍ ସେନାରେ ଅଧା ରହିବେ ଅଗ୍ନିବୀର, ପ୍ରତି ବର୍ଷ ମିଳିବ ଦେଢ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ଵାରା ସେନାରେ ନିଯୁକ୍ତି ପାଇଁ ଘୋଷିତ ଅଗ୍ନିପଥ ଯୋଜନାର ପ୍ରତିବାଦ ଆରମ୍ଭ ହୋଇ ଯାଇଛି। ଚାରି ବର୍ଷିଆ ନିଯୁକ୍ତିକୁ ନାପସନ୍ଦ କରିଛନ୍ତି ସେନାରେ ସାମିଲ୍ ହେବାକୁ ଥିବା ଆଶାୟୀ। ଭାରତୀୟ ସେନାରେ ମୋଟ୍ ସୈନିକଙ୍କ ସଂଖ୍ୟା ହେଉଛି ୧୨ ଲକ୍ଷ। ୨୦୩୨ ସୁଦ୍ଧାର ଏହାର ଅଧା ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ଅର୍ଥାତ ଆଗାମୀ ୧୦ ବର୍ଷର ୬ ଲକ୍ଷ ସୈନିକ ଅଗ୍ନିପଥ ଯୋଜନା ଆଧାରରେ ନିଯୁକ୍ତି ପାଇବେ। ପ୍ରଥମ ବ୍ୟାଚରେ ୪୬ ହଜାର ଏବଂ ଆଗାମୀ ଛଅରୁ ସାତ ବର୍ଷରେ ଏହି ସଂଖ୍ୟା ବୃଦ୍ଧି ଘଟି ୧.୨ ଲକ୍ଷରେ ପହଞ୍ଚିବ। ଗୁରୁବାର ସେନା ଉପାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ବିଏସ ରାଜୁ ଏହାର ସୂଚନା ଦେଇଛନ୍ତି।

ସେନା ଉପାଧ୍ୟକ୍ଷ କହିଛନ୍ତି, ଯୋଜନା ଅନୁସାରେ ପ୍ରତି ବର୍ଷ ସେନାରେ ନିଯୁକ୍ତି ଦିଆଯିବ। ଚଳିତ ବର୍ଷ ପ୍ରାୟ ୪୦ ହଜାର ନିଯୁକ୍ତି ମିଳିବ। ସପ୍ତମ ଏବଂ ଅଷ୍ଟମ ବର୍ଷ ବେଳକୁ ଏହି ସଂଖ୍ୟା ୧.୨ ଲକ୍ଷ ଏବଂ ଦଶମ କିମ୍ବା ୧୧ମ ବର୍ଷ ସୁଦ୍ଧା ୧.୬ ଲକ୍ଷରେ ପହଞ୍ଚିଯିବ। ଅର୍ଥାତ ସେହି ସମୟରେ ପ୍ରତିବର୍ଷ ଲକ୍ଷେରୁ ଅଧିକଙ୍କୁ ସେନାରେ ନିଯୁକ୍ତି ଦିଆଯିବ। ସମସ୍ତ ନିଯୁକ୍ତି ଅଗ୍ନିପଥ ଯୋଜନାରେ କରାଯିବ।

ବଢୁଥିବା ବେତନ ଏବଂ ପେନସନରେ ହ୍ରାସ କରିବା ଉଦ୍ଦେଶ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ଯବାନଙ୍କ ନିଯୁକ୍ତି ପାଇଁ ମଙ୍ଗଳବାର ଅଗ୍ନିପଥ ଯୋଜନାର ଘୋଷଣା କରାଯାଇଛି।

ବାୟୁସେନା ଏବଂ ନୌସେନାରେ ହେବ ନିଯୁକ୍ତି

ଭାରତୀୟ ବାୟୁସେନା ଏବଂ ନୌସେନାରେ ଚଳିତ ବର୍ଷ ୩୦୦୦ ଅଗ୍ନିବୀରଙ୍କ ନିଯୁକ୍ତି ଦିଆଯିବ। ଏହି ସଂଖ୍ୟା ଆଗାମୀ ସମୟରେ ଏହି ଅନୁପାତରେ ବଢି ଚାଲିବ। ଅଗ୍ନିବୀରଙ୍କ ପ୍ରତ୍ୟେକ ବ୍ୟାଚରୁ କେବଳ ୨୫ ପ୍ରତିଶତ ଦକ୍ଷ ଏବଂ କୁଶଳୀ ଯବାନଙ୍କୁ ସେନାରେ ନିୟମିତ କ୍ୟାଡରରେ ୧୫ ବର୍ଷ ପାଇଁ ନିଯୁକ୍ତି ଦିଆଯିବ। ଅନ୍ୟ ୭୫ ପ୍ରତିଶତକୁ ଚାରି ବର୍ଷ ପରେ ସେବାରୁ ମୁକ୍ତ କରାଯିବ।

ସେନା ଉପାଧ୍ୟକ୍ଷ ରାଜୁ କହିଛନ୍ତି, ଯୋଜନାର ଉଦ୍ଦେଶ୍ୟ ନିୟମିତ କ୍ୟାଡରର ସୈନିକ ଏବଂ ଅଗ୍ନିବୀରଙ୍କ ସଂଖ୍ୟାକୁ ୫୦-୫୦ ପ୍ରତିଶତରେ ରଖିବାକୁ ପଡିବ। ଛଅରୁ ସାତ ବର୍ଷରେ ସୈନିକଙ୍କ ହାରାହାରି ବୟସ ୩୨ରୁ ହ୍ରାସ ପାଇ ୨୪-୨୬ ବର୍ଷରେ ପହଞ୍ଚିବ।

 

Get real time updates directly on you device, subscribe now.