fbpx

ସନରାଇଜର୍ସ ହାଇଦ୍ରାବାଦ ବାଛିଲା ନୂଆ ଅଧିନାୟକ: ମୟଙ୍କ ଅଗ୍ରୱାଲ ନା ଭୁବନେଶ୍ୱର କୁମାର?

ନୂଆଦିଲ୍ଲୀ: ଆଇପିଏଲ-୨୦୨୩କୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଛି । ଏହାପୂର୍ବରୁ ପ୍ରତ୍ୟେକ ଦଳ ନିଜ ନିଜର ପ୍ଲାନ ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ସନରାଇଜର୍ସର ଅଧିନାୟକ ପଦକୁ ନେଇ ଖୁବ ଆଲୋଚନା ଲାଗି ରହିଥିଲା । କିନ୍ତୁ ଟିମ ମ୍ୟାନେଜମେଣ୍ଟ ଏହି ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଛି । କେନ ୱିଲିୟମସନଙ୍କ ଜାଗାରେ କିଏ ଦଳର ନେତୃତ୍ୱ ନେବେ ସେ ନେଇ ଫାଞ୍ଚାଇଜି ପକ୍ଷରୁ ସ୍ପଷ୍ଟ ସୂଚନା ମିଳିସାରିଛି ।

ଆଇପିଏଲ ନିଲାମୀ ପରେ ସମସ୍ତ ଦଳ ନିଜର ଅଧିନାୟକ ସ୍ଥିର କରି ସାରିଥିଲେ । କିନ୍ତୁ ଏହାମଧ୍ୟରେ ସବୁଠୁ ଦ୍ୱନ୍ଦ୍ୱରେ ପଡିଯାଇଥିଲା ସନରାଇଜର୍ସ ହାଇଦ୍ରାବାଦ । କେନ ୱିଲିୟମସନଙ୍କୁ ଛାଡିବା ପରେ କିଏ ଦଳରେ ନେତୃତ୍ୱ ନେବେ ସେ ନେଇ ଚାଲିଥିଲା ଆଲୋଚନା ପର୍ଯ୍ୟାଲୋଚନା । ଦଳରେ ଉପଅଧିନାୟକ ପଦରେ ଥିବା ଭୁବନେଶ୍ୱର କୁମାରଙ୍କୁ ନେତୃତ୍ୱ ଦିଆଯିବ ନା ନୂଆ କରି ଦଳରେ ଯୋଗ ଦେଇଥିବା ମୟଙ୍କ ଅଗ୍ରୱାଲ ଅଧିନାୟକ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ ଟିମ ମ୍ୟାନେଜମେଣ୍ଟ ଏ ଦୁହିଁଙ୍କୁ ପଛରେ ପକାଇ ଆଉ ଜଣେ ଖେଳାଳିଙ୍କ ନାଁରେ ମୋହର ମାରିଛି । ସାଉଥ ଆଫ୍ରିକାର ଷ୍ଟାର ଖେଳାଳି ଏଡେନ ମାର୍କରମଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ ।

ସାଉଥଆଫ୍ରିକା ଟି-୨୦ ଲିଗରେ ମାର୍କରମଙ୍କ ନେତୃତ୍ୱରେ ସନରାଇଜର୍ସ ଇଷ୍ଟର୍ଣ୍ଣ ଚମ୍ପିଆନର ମୁକୁଟ ପିନ୍ଧିଛି । ତେବେ ଦକ୍ଷିଣ ଆଫ୍ରିକାରେ ବାନା ଉଡାଇବା ପରେ ଭାରତରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବିଜୟ ଲକ୍ଷ୍ୟରେ ମାର୍କରମଙ୍କୁ ଅଧିନାୟକ ଭାବେ ଅଭିଷେକ କରିଛି ହାଇଦ୍ରାବାଦ । ତେବେ ଧୋନୀ, ରୋହିତଙ୍କ ଭଳି ମହାନ ଅଧିନାୟକଙ୍କ ବିରୋଧରେ ଲଢି ଦଳକୁ ଦ୍ୱିତୀୟ ଟାଇଟଲ ଭେଟି ଦେବା ମାର୍କରମଙ୍କ ପାଇଁ ଖୁବ ଚାଲେଞ୍ଜିଙ୍ଗ ରହିବ ।

Get real time updates directly on you device, subscribe now.