fbpx

AIIMS Report: ସିଗାରେଟ୍ ସେବନ କରୁନଥିବା ଲୋକମାନେ ମଧ୍ୟ ଲଙ୍ଗସ କ୍ୟାନସରର ଶିକାର ହେଉଛନ୍ତି, ବାୟୁ ପ୍ରଦୂଷଣକୁ ନେଇ ସାବଧାନ ରୁହନ୍ତୁ

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦିଲ୍ଲୀ-ଏନସିଆର ସମେତ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ବାୟୁ ପ୍ରଦୂଷଣ କାରଣରୁ ଲୋକମାନେ ବିଭିନ୍ନ ପ୍ରକାରର ରୋଗରେ ସଂକ୍ରମିତ ହେଉଥିବାର ଦେଖାଯାଉଛି । ପ୍ରଦୂଷଣ କାରଣରୁ ଅନେକ ଲୋକ ଲଙ୍ଗସ କ୍ୟାନସରର ଶିକାର ମଧ୍ୟ ହେଉଛନ୍ତି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ସିଗାରେଟ ସେବନ କରୁନଥିବା ଲୋକମାନେ ମଧ୍ୟ ଲଙ୍ଗସ କ୍ୟାନସରର ଶିକାର ହେଉଛନ୍ତି । ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ ଏଭଳି ରିପୋର୍ଟ ଦିଆଯାଇଛି ।

ବାୟୁ ପ୍ରଦୂଷଣ ଏତେ ଦ୍ରୁତଗତିରେ ବୃଦ୍ଧି ପାଉଛି ଯେ ଏହି କାରଣରୁ ଲୋକମାନେ ଲଙ୍ଗସ କ୍ୟାନସରରେ ଶିକାର ହେଉଥିବାର ଦେଖାଯାଉଛି । ଏମ୍ସ ନୂଆଦିଲ୍ଲୀର ପ୍ଲୋମୋନୋଲୋଜି ଓ ସ୍ଲିପ ମେଡିସିନ ବିଭାଗର ଅଧ୍ୟକ୍ଷ ଏ ବାବଦରେ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି । ଆମେ ବସବାସ କରୁଥିବା ପରିବେଶ ଏତେ ପ୍ରଦୂଷିତ ହୋଇଗଲାଣି ଯେ ଯେଉଁ ଲୋକମାନେ ସିଗାରେଟ ସେବନ କରୁନାହାନ୍ତି ସେମାନେ ମଧ୍ୟ ଲଙ୍ଗସ କ୍ୟାନସରରେ ଶିକାର ହେଉଥିବା ସେ କହିଛନ୍ତି ।

ସେ କହିଛନ୍ତି, ନିକଟରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଯେଉଁଠାରେ ବାୟୁ ପ୍ରଦୂଷଣ ଅଧିକ ରହିଛି ସେଠାକାର ହସ୍ପିଟାଲଗୁଡ଼ିକୁ ଶ୍ୱାସ ସମ୍ବନ୍ଧୀୟ ରୋଗୀ ଅଧିକ ଆସୁଛନ୍ତି । ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲରେ ଏପରି ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ତା’ର ଆଖପାଖ ଅଞ୍ଚଳର ବାୟୁ କେତେ ପ୍ରଦୂଷିତ ତାହା ଏଥିରୁ ସହଜରେ ପ୍ରମାଣିତ ହେଉଛି । ଯେଉଁମାନଙ୍କର ପୂର୍ବରୁ ଶ୍ୱାସ ସମସ୍ୟା ରହିଥିଲା ଚିକିତ୍ସା ପରେ ସେମାନଙ୍କର ସ୍ଥିତି ସାମାନ୍ୟ ରହିଥିଲା । ମାତ୍ର ନିକଟରେ ବାୟୁ ପ୍ରଦୂଷଣ ବଢ଼ିବା କାରଣରୁ ଏହି ରୋଗୀମାନଙ୍କୁ ଇନହିଲର ଦେବାକୁ ପଡ଼ିଥିଲା । ଏଥିସହିତ କିଛି ରୋଗୀଙ୍କଠାରେ ଆସ୍ଥମାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳୁଛି ।

ଲଙ୍ଗସ କ୍ୟାନସର ଏକ ସାଇଲେଣ୍ଟ କିଲର ଓ ଏହା ଧୀରେଧୀରେ ଜୀବନ ନେଇଥାଏ । ଯଦିଓ ଏହାର ମୁଖ୍ୟ କାରଣ ଧୂମ୍ରପାନ ତଥାପି ଧୂମ୍ରପାନ ସେବନ କରୁନଥିବା ଲୋକମାନେ ମଧ୍ୟ ଫୁସଫୁସ କ୍ୟାନସରର ଶିକାର ହେଉଥିବା ଦେଖାଯାଉଛି । ଚିକିତ୍ସା ପରେ କାଶ ଭଲ ନହେବା, କାଶରେ ରକ୍ତ ପଡ଼ିବା, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା, ଛାତି ଯନ୍ତ୍ରଣା, ଗଳା ଖରାପ, ହଠାତ୍ ଓଜନ ହ୍ରାସ ପାଇବା, ହାଡ଼ ଯନ୍ତ୍ରଣା, ମୁଣ୍ଡବିନ୍ଧା ଆଦି ଫୁସଫୁସ କ୍ୟାନସରର ଲକ୍ଷଣ ଅଟେ । ଫୁସଫୁସ କ୍ୟାନସରରୁ ରକ୍ଷା ପାଇବାକୁ ହେଲେ ଲୋକମାନେ ନିଜେ ସାବଧାନ ରହିବା ଜରୁରୀ ।

Get real time updates directly on you device, subscribe now.