ଟ୍ରକ ଡ୍ରାଇଭରଙ୍କ ଲାଗି ଖୁସି ଖବର; ଏବେ ସମସ୍ତ ଟ୍ରକର କ୍ୟାବିନ ହେବ ଏସି, ଏହିଦିନରୁ ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଦେଶର ସମସ୍ତ ଟ୍ରକ ଡ୍ରାଇଭରଙ୍କ ଲାଗି ଆସିଲା ଖୁସି ଖବର । ଏବେ ଦେଶର ଟ୍ରକ ଡ୍ରାଇଭରଙ୍କ ଯାତ୍ରା ବେଶ୍ ସୁବିଧାଜନକ ହେବାକୁ ଯାଉଛି । କେନ୍ଦ୍ର ପରିବହନ ବିଭାଗ ଟ୍ରକରେ ଏସି ଲଗାଯିବା ନିଷ୍ପତ୍ତିକୁ ମଞ୍ଜୁରୀ ଦେଇ ଦେଇଛନ୍ତି । ନୂଆ ନିୟମ ଅନୁସାରେ ଏବେ କମ୍ପାନୀଙ୍କୁ ଟ୍ରକ କ୍ୟାବିନରେ ଏସି ସିଷ୍ଟମ ଲଗାଇବା ଅନିବାର୍ଯ୍ୟ । ଏହି ନିୟମକୁ ୧ ଅକ୍ଟୋବର ୨୦୨୫ରୁ ଲାଗୁ କରାଯିବ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ୧ ଅକ୍ଟୋବର ୨୦୨୫ କିମ୍ବା ଏହାପରେ ନିର୍ମିତ ଏନ୍ ୨ ଓ ଏନ୍ ୩ ଶ୍ରେଣୀ ଟ୍ରକ କ୍ୟାବିନ୍‌ରେ ଏୟାର କଣ୍ଡିସନ ସିଷ୍ଟମ ଲଗାଯିବ ।

ଅଧିସୂଚନାରେ କୁହାଯାଇଛି କି ଏସି ସିଷ୍ଟମରେ ସୁସଜ୍ଜିତ କ୍ୟାବିନର ପରୀକ୍ଷଣ IS14618:2022 ଅନୁସାରେ କରାଯିବ । ଜୁଲାଇରେ କେନ୍ଦ୍ରୀୟ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଟ୍ରକ କ୍ୟାବିନରେ ଏସି ସିଷ୍ଟମ ସ୍ଥାପନା ଅନିବାର୍ଯ୍ୟ କରିବା ପାଇଁ ଏକ ଅଧିସୂଚନାକୁ ମଞ୍ଜୁରୀ ଦିଆଯାଇଛି । ସେ କହିଛନ୍ତି ଏହି ନିୟମ ଟ୍ରକ ଡ୍ରାଇଭରଙ୍କ ଲାଗି ଆରାମଦାୟକ ହେବ ଓ କାମ କରିବା ଲାଗି ଉତ୍ସାହିତ କରିବ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଟ୍ରକ ଚାଳକ ପରିବହନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି ଯାହା ଭାରତ ଲାଗି ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରୁ ଅନ୍ୟତମ । ଏଣୁ ଟ୍ରକ ଡ୍ରାଇଭରଙ୍କ ମାନସିକ ସ୍ଥିତି ସମ୍ବନ୍ଧିତ ବିଷୟ ଉପରେ ଧ୍ୟାନ ଦେବା ଆମର ଆବଶ୍ୟକ ।