ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଦେଶରେ ‘ଏୟାର ଟ୍ୟାକ୍ସି’ ସେବା ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ଏୟାର ଟ୍ୟାକ୍ସିରେ ପାଇଲଟଙ୍କ ସମେତ ଏକସଙ୍ଗେ ୫ ଜଣ ଲୋକ ଯାତ୍ରା କରିପାରିବେ । ଏହି ଏୟାର ଟ୍ୟାକ୍ସି ଘଣ୍ଟା ପ୍ରତି ୧୬୦ କିମି ବେଗରେ ଉଡ଼ିପାରିବ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଆସନ୍ତା ୨୦୨୬ ମସିହା ସୁଦ୍ଧା ଦେଶରେ ଇଲେକ୍ଟ୍ରିକ ଏୟାର ଟ୍ୟାକ୍ସ ଚଳାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ତେବେ ଏହାକୁ ଦିଲ୍ଲୀ ଓ ମୁମ୍ବାଇ ପରି ସହରମାନଙ୍କରେ ଉଡ଼ାଯିବ ବୋଲି ଜଣାପଡ଼ିଛି । ଏହା ଘଣ୍ଟା ପ୍ରତି ୧୬୦ କିମି ବେଗରେ ଉଡ଼ିବା ସହିତ ସେଥିରେ ପାଇଲଟଙ୍କ ସମେତ ୫ ଜଣ ଯାତ୍ରୀ ବସି ଯାଇ ପାରିବେ ।
ଭାରତୀୟ କମ୍ପାନୀ ଇଣ୍ଟର ଗ୍ଲୋବ ଏଣ୍ଟରପ୍ରାଇଜ, ଆମେରିକୀୟ ଷ୍ଟାର୍ଟଅପ ଆର୍ଚର ଏଭିଏସନ ସହିତ ମିଶି ଭାରତରେ ୨୦୨୬ ସୁଦ୍ଧା ଇଲେକ୍ଟ୍ରିକ ଏୟାର ଟ୍ୟାକ୍ସି ଚଳଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଇଣ୍ଟର ଗ୍ଲୋବ ଏଣ୍ଟରପ୍ରାଇଜର ସହଯୋଗୀ କମ୍ପାନୀ ଦେଶର ଅଗ୍ରଣୀ ଘରୋଇ ବିମାନ ସେବା ଇଣ୍ଡିଗୋକୁ ସଞ୍ଚାଳନ କରୁଛି, ଯାହାକି ଦେଶ, ବିଦେଶକୁ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଛି । ଗତ ମାସରେ ଆର୍ଚର ଏଭିଏସନ ଆମେରିକା ବାହାରେ ପ୍ରଥମ ବୁଝାମଣା ୟୁନାଇଟେଡ ଅରବ ଅମିରାତ ସହ କରିଥିଲା । କମ୍ପାନୀ ଦ୍ୱିତୀୟ ସେବା ଭାରତରେ ଆରମ୍ଭ କରିବ । ଏପରି ଭାବେ ୨୦୨୬ରେ ଭାରତ ଓ ୟୁଏଇରେ ଏକସଙ୍ଗେ ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବା ଏବେ ସହଜ ହୋଇଯାଇଛି ।