fbpx
BJD SKY
BJD SKY

World Cup-2023 ରୁ ନିରାଶ ହୋଇ ପେରିଲା ପାକିସ୍ତାନ: ଶେଷ ମ୍ୟାଚରେ ବାଜି ମାରିଲା ଇଂଲଣ୍ଡ 

BJD

ନୂଆଦିଲ୍ଲୀ: ୨୦୨୩ ବିଶ୍ୱକପର ଶେଷ ମ୍ୟାଚରେ ମଧ୍ୟ ନିରାଶ ହୋଇଛି ବାବର ଆର୍ମି । ଲିଗ୍ ଷ୍ଟେଜର ଶେଷ ମ୍ୟାଚରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇ ଦଳ ବିଶ୍ୱକପରେ ଯାତ୍ରା ଶେଷ କରିଛି । ଏହାସହିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ପାକିସ୍ତାନ । ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ପ୍ରଦର୍ଶନ କରି ଦଳ ନିଜ ବିଶ୍ୱକପ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପକାଇଛି । ୩୩୮ ରନର ବଡ଼ ଟାର୍ଗେଟକୁ ପିଛା କରି ବାବର ସେନା ମାତ୍ର ୨୪୪ ରନରେ ଅଲ ଆଉଟ ହେବା ସହ ଖାଲି ହାତରେ ଘରକୁ ଫେରିଛି । ଷ୍ଟାର ପ୍ଲେୟର ଅଘା ସଲମାନଙ୍କ ଅର୍ଦ୍ଧଶତକ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଇଂଲଣ୍ଡ ବିପକ୍ଷରେ ବଡ଼ ସ୍କୋର କରିବାରେ ସମର୍ଥ ହୋଇନାହାନ୍ତି । ଫଳରେ ଏହି ମ୍ୟାଚରୁ ଉଭୟ ଦଳ ବିଶ୍ୱକପ-୨୦୨୩ ଯାତ୍ରା ଶେଷ କରିଛନ୍ତି ।

କୋଲକାତା ଇଡେନ୍ ଗାର୍ଡେନ୍ସରେ ଇଂଲଣ୍ଡ ବିପକ୍ଷରେ ବିଶ୍ୱକପ-୨୦୨୩ର ଶେଷ ମ୍ୟାଚ ଖେଳିଛି ପାକିସ୍ତାନ । ଏହି ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ମାତ୍ ଦେଇଛି । ଏହି ପରାଜୟ ସହ ବିଶ୍ୱକପ ଯାତ୍ରା ଶେଷ କରିଛି ବାବର ସେନା । ତେବେ କେବଳ ଏହି ମ୍ୟାଚ ନୁହେଁ, ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରି ବିଶ୍ୱକପର ସେମି ଫାଇନାଲରୁ ମଧ୍ୟ ବାଦ୍ ପଡ଼ିଛି ପାକିସ୍ତାନ । ଆଫଗାନିସ୍ତାନ ଭଳି ଦଳ ବିପକ୍ଷରେ ମଧ୍ୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ତେବେ ଶେଷ ଗୃପ ମ୍ୟାଚରେ ସେମି ଫାଇନାଲକୁ ଯିବାର ଶେଷ ଆଶା ମଧ୍ୟ ହାତଛଡ଼ା କରିଛି ପାକିସ୍ତାନ ।

ସେମି ଫାଇନାଲକୁ ପ୍ରବେଶ କରିବା ପାଇଁ ମାତ୍ର ୪୦ ବଲରେ ଇଂଲଣ୍ଡର ୩୩୮ ରନକୁ ହାସଲ କରିବା ଆବଶ୍ୟକ ରହିଥିଲା । କିନ୍ତୁ ପାକିସ୍ତାନ ଏହା କରି ନ ପାରିବାରୁ ବିଶ୍ୱକପରୁ ବାଦ୍ ପଡ଼ିଛି । ଏହାସହିତ ମ୍ୟାଚ ଶେଷ ସୁଦ୍ଧା ମାତ୍ର ୨୪୪ ରନରେ ଦଳ ନିଜର ସମସ୍ତ ୱିକେଟ ହରାଇ ପରାଜୟ ବରଣ କରିଛି । ଅଘା ସଲମାନ ଏହି ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିତିବା ବେଳେ ବାକି ସମସ୍ତ ଖେଳାଳି ଇଂଲଣ୍ଡ ବୋଲରଙ୍କ ଆଗରେ ହାର ମାନିଛନ୍ତି । ଫଳରେ ୯୩ ରନରେ ଇଂଲଣ୍ଡ ଦ୍ୱାରା ପରାସ୍ତ ହୋଇ ବିଶ୍ୱକପ ଯାତା ଶେଷ କରିଛି ବାବର ସେନା ।

ଅନ୍ୟ ପକ୍ଷରେ ଡାଭିଡ ୱିଲି ମ୍ୟାଚରେ ୩ଟି ୱିକେଟ ହାସଲ କରିଛନ୍ତି । ଏହାବ୍ୟତୀତ ଆଦିଲ ରାଶିଦ, ଗୁସ ଅଟକିନସନ୍ ଏବଂ ମୋଇନ ଅଲୀ ୨ଟି ଲେଖାଏଁ ସଫଳତା ହାସଲ କରିଥିବା ବେଳେ କ୍ରିସ ୱକ୍ସ ଗୋଟିଏ ୱିକେଟ ନିଜ ନାମରେ କରିଛନ୍ତି । ଏହି ବିଜୟ ସହିତ ଇଂଲର୍ଡ ମଧ୍ୟ ସପ୍ତମ ସ୍ଥାନରେ ରହି ବିଶ୍ୱକପରୁ ବିଦାୟ ନେଇଛି । ତେବେ ଏହି ବିଜୟ ଇଂଲଣ୍ଡକୁ ୨୦୨୪ ଚମ୍ପିଆନ୍ସ ଟ୍ରଫି ପାଇଁ ଯୋଗ୍ୟତା ପ୍ରଦାନ କରିଛି । କାରଣ ଏହି ଟୁର୍ଣ୍ଣାମେଣ୍ଟରେ ବିଶ୍ୱକପ-୨୦୨୩ ପଏଣ୍ଟ ଟେବୁଲର ଶୀର୍ଷ ୭ଟି ଦଳ ହିଁ ଭାଗ ନେଇପାରିବେ । ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଆୟୋଜକ ହୋଇଥିବାରୁ ଦଳକୁ ଅଗ୍ରାଧିକାର ସହ ଚୟନ କରାଯାଇଛି ।

Get real time updates directly on you device, subscribe now.