fbpx
BSKY SKY
BSKY SKY

ଓଡ଼ିଶାରେ ବ୍ୟାନ ହେଲା କମ୍ ଓଜନର ଖାଇବା ତେଲ ପ୍ୟାକେଟ୍: ରାଜ୍ୟ ବ୍ୟବସାୟୀ ମହାସଂଘର ବଡ଼ ନିଷ୍ପତ୍ତି

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ଦୋକାନ, ବଜାରମାନଙ୍କରେ ଆଉ କମ୍ ଓଜନର ଖାଇବା ତେଲ ପ୍ୟାକେଟ ବିକ୍ରି ହୋଇ ପାରିବ ନାହିଁ । ଏକ ଲିଟରିଆ ପ୍ୟାକେଟରେ କେବଳ ୯୧୦ ଗ୍ରାମ ବା ୮୭୦ ଗ୍ରାମ ଓଜନର ତେଲ ପ୍ରସ୍ତୁତ କରୁଥିବା କମ୍ପାନୀର ତେଲ ବିକ୍ରି କରାଯିବ । ଏନେଇ ରାଜ୍ୟର ସମସ୍ତ ବ୍ୟବସାୟୀଙ୍କୁ ଚିଠି ଲେଖି ଅବଗତ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ । ଯେଉଁମାନେ ଏହି ନିର୍ଦ୍ଦେଶକୁ ଉଲ୍ଲଂଘନ କରିବେ ସେମାନେ ଆର୍ଥିକ ଜରିମାନା ଗଣିବେ ବୋଲି କୁହାଯାଇଛି ।

ସୂଚନା ମୁତାବକ, ଦୋକାନରୁ ଖାଇବା ତେଲ କିଣିବା ସମୟରେ ୯୧୦ ଗ୍ରାମ ବା ୮୭୦ ଗ୍ରାମ ଓଜନର ପ୍ୟାକେଟ ଦେଖି କିଣିବାକୁ ଗ୍ରାହକଙ୍କୁ ମହାସଂଘ ପକ୍ଷରୁ ଅପିଲ କରାଯାଇଛି । ଯେଉଁ କମ୍ପାନୀମାନେ ଏହି ଓଜନର ପ୍ୟାକେଟ ଯୋଗାଇବେ ସେମାନଙ୍କର ତେଲକୁ ଓଡ଼ିଶାର ଗ୍ରାହକଙ୍କୁ ବିକ୍ରି କରାଯିବ । ଏହି ନିୟମ ନ ମାନିଲେ ବେପାରୀମାନେ ଜରିମାନା ଗଣିବେ । ଏଥିସହିତ ଅସାଧୁ କମ୍ପାନୀଙ୍କ ବିରୋଧରେ ବ୍ୟବସାୟୀ ମହାସଂଘ ହାଇକୋର୍ଟ ଯିବ ବୋଲି ଚେତାବନୀ ଦେଇଛି ।

ଏଥିସହିତ ଯଦି କୌଣସି ପ୍ୟାକେଟରେ ୮୫୦ ବା ୮୩୩ ଗ୍ରାମ ଓଜନ ଲେଖାଥିବ ତେବେ ସେନେଇ ଗ୍ରାହକମାନେ ଖାଉଟି ଅଦାଲତରେ ଅଭିଯୋଗ କରିପାରିବେ । ଏଥିସହିତ ତାହା ବ୍ୟବସାୟୀ ମହାସଂଘ ଦୃଷ୍ଟିକୁ ମଧ୍ୟ ଗ୍ରାହକମାନେ ଆଣିପାରିବେ । ଏପରି କମ୍ ଓଜନର ଖାଇବା ତେଲ ପ୍ରସ୍ତୁତ କରୁଥିବା କମ୍ପାନୀ ବିରୋଧରେ ହାଇକୋର୍ଟରେ ମାମଲା ଦାୟର କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପକ୍ଷରେ ବ୍ୟବସାୟୀ ମହାସଂଘର ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Get real time updates directly on you device, subscribe now.