fbpx
BJD SKY
BJD SKY

World Cup-2023 ସେମି-ଫାଇନାଲରେ ମୁହାଁମୁହିଁ ହେବେ ପୁରୁଣା ଶତ୍ରୁ: ୪ ବର୍ଷର ପ୍ରତିଶୋଧ ନେବ ଭାରତ

BJD

ନୂଆଦିଲ୍ଲୀ: ବିଶ୍ୱକପ ସେମି ଫାଇନାଲରୁ ବାଦ୍ ପଡ଼ିଛି ପାକିସ୍ତାନ କ୍ରିକେଟ ଟିମ୍ । ଇଂଲଣ୍ଡ ବିପକ୍ଷରେ ସେମି ଫାଇନାଲକୁ ଯିବାକୁ ପାକିସ୍ତାନର ଶେଷ ଆଶା ମଉଳି ଯିବା ପରେ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ସ୍ଥାନ ପକ୍କା କରି ସାରିଛି । ତେବେ ଶେଷ ଦଳ ଭାବରେ ନ୍ୟୁଜିଲାଣ୍ଡ ପହଞ୍ଚିବା ପରେ ସେମି ଫାଇନାଲ ପାଇଁ ୪ଟି ଦଳ ସ୍ଥିର ହୋଇଯାଇଛି । ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ପୂର୍ବରୁ ସେମି ଫାଇନାଲରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଏହି ତାଲିକାରେ ସାମିଲ ହୋଇଛି । ଆସନ୍ତା ନଭେମ୍ବର ୧୫ ତାରିଖରେ ପ୍ରଥମ ସେମି ପାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ତେଣୁ ରୋହିତ ସେନା ନିକଟରେ ୪ ବର୍ଷର ପୁରୁଣା ପ୍ରତିଶୋଧ ନେବା ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି ।

୪ ବର୍ଷ ପରେ ପୁଣିଥରେ ସମାନ ସ୍ଥିତିରେ ଏବଂ ସେହି ପୁରୁଣା ମଞ୍ଚରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପୁରୁଣା ଶତ୍ରୁ । ଦିନିକିଆ ବିଶ୍ୱକପ-୨୦୨୩ର ସେମି ଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପୁଣିଥରେ କଡ଼ା ଟକ୍କର ଦେଖିବାକୁ ମିଳିବ । ୨୦୧୯ ବିଶ୍ୱକପରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ବାଜି ମାରିଥିଲା ନ୍ୟୁଜିଲାଣ୍ଡ । ତେଣୁ ଚଳିତଥର ରୋହିତ ସେନା ଏହି ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ । କାରଣ ୨୦୧୯ ଏବଂ ୨୦୨୩ ଦୁଇ ବିଶ୍ୱକପରେ ଅନେକ ଫରକ୍ ରହିଛି ।

ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରାଜେୟ ରହିଛି ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡ ସମେତ ଲିଗ୍ ପର୍ଯ୍ୟାୟରେ ସମସ୍ତ ଦଳକୁ ପରାସ୍ତ କରି ସେମି ଫାଇନାଳରେ ପହଞ୍ଚିଛି ରୋହିତ ସେନା । ଏହାବ୍ୟତୀତ ଏହି ବିଶ୍ୱକପ ଭାରତୀୟ ଗ୍ରାଉଣ୍ଡରେ ଖେଳାଯାଉଥିବାରୁ ଭାରତର ଦବଦବା ମଧ୍ୟ ଅଧିକ ରହିଛି । ତେଣୁ ଏହି ମ୍ୟାଚରେ ଟିମ ଇଣ୍ଡିଆ ଉପରେ ସମସ୍ତଙ୍କ ନଜର ରହିବ । ଏହାବ୍ୟତୀତ ଭାରତୀୟ ଦଳର ସମସ୍ତ ଖେଳାଳି ଏବେ ଜବରଦସ୍ତ ଫର୍ମରେ ରହିଥିବା ବେଳେ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ବିଜୟ ହାସଲ କରିବା ସହ ଫାଇନାଲରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ଭାରତ । ଏହାସହିତ ୪ ବର୍ଷ ତଳେ ନ୍ୟୁଜିଲାଣ୍ଡ ଦେଇଥିବା ଆଘାତର ପ୍ରତିଶୋଧ ନେବା ମଧ୍ୟ ବାକି ରହିଛି ।

୨୦୧୯ ବିଶ୍ୱକପର ସେମି ଫାଇନାଲରେ ଉଭୟ ଦଳ ମୁହାଁମୁହିଁ ହୋଇଥିବା ବେଳେ ଭାରତ ଏଥିରେ ପରାସ୍ତ ହୋଇ ବିଶ୍ୱକପରୁ ବାଦ୍ ପଡ଼ିଥିଲା । କିନ୍ତୁ ଏହି ଘଟଣାକୁ ପୁନର୍ବାର ନ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ରୋହିତ ସେନା । ତେବେ ଭାରତ ବର୍ତ୍ତମାନ ସବୁ ବିଭାଗରେ ଦମଦାର ପ୍ରଦର୍ଶନ କରିଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ଫାଇନାଲ ରାସ୍ତାରେ କଣ୍ଟା ସାଜିପାରେ । ତେଣୁ ଏହି ସେମି ଫାଇନାଲ ମ୍ୟାଚ ଅତି ସଂଘର୍ଷପୂର୍ଣ୍ଣ ହେବା ସହ ଖୁବ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.