fbpx

ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଅଜିତ୍ ଡୋଭାଲଙ୍କ ରୋକ୍ ଠୋକ୍, ସୀମାରୁ ହଟାଓ ସେନା, ତେବେ ଯାଇ ଆଲୋଚନା ଆଗକୁ ବଢିବ

ନୂଆଦିଲ୍ଲୀ : ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୱି ଭାରତ ଗସ୍ତରେ ଅଛନ୍ତି । ସେ ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ପ୍ରାୟ ଏକ ଘଣ୍ଟା ଆଲୋଚନା କରିଛନ୍ତି । ଶୀଘ୍ର ସୀମାରୁ ସୈନ୍ୟ ହଟାଇବା ଉପରେ ଜୋର ଦେଇଛି ଭାରତ । ଏହା ପରେ ଯାଇ ଦ୍ୱିପାକ୍ଷିକ ସମ୍ବନ୍ଧ ସ୍ୱାଭାବିକ ହେବ ବୋଲି ଚୀନ ପ୍ରତିପକ୍ଷଙ୍କୁ ରୋକ୍ ଠୋକ୍ କହିଛନ୍ତି ଅଜିତ୍ ଡୋଭାଲ । ସେ କହିଛନ୍ତି, ଶାନ୍ତି ସ୍ଥାପନ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ, ଭାରତ ଶାନ୍ତି ସ୍ଥାପନ ପାଇଁ ରାଜନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ଆଲୋଚନା ଜାରି ରଖାଯିବା ଉପରେ ଗୁରୁତ୍ୱ ଦେଇଛି । ଅଜିତ୍ ଡୋଭାଲ ଚୀନ ପ୍ରତିପକ୍ଷ ୱାଙ୍ଗ ୱି ସହ ଆଲୋଚନା ବେଳେ କହିଛନ୍ତି, ସୀମାରୁ ସେନା ହଟାଇଲେ ଯାଇ ଦ୍ୱିପାକ୍ଷିକ ଆଲୋଚନା ଆଗକୁ ବଢିବ । ପରସ୍ପରର ସୀମାକୁ ସମ୍ମାନ ଦେବା ସୁନିଶ୍ଚିତ କରାଯିବା ଉଚିତ୍ । ଦୁଇ ଦେଶ ଗୋଟିଏ ଦିଗରେ କାମ କରି ବାକି ପ୍ରସଙ୍ଗଗୁଡିକର ଶୀଘ୍ର ସମାଧାନ କରିବା ଉଚିତ୍ ବୋଲି ଡୋଭାଲ କହିଛନ୍ତି ।

ଏହି ଆଲୋଚନାକୁ ଆଗକୁ ବଢାଇବା ପାଇଁ ଚୀନ ଗସ୍ତ କରିବାକୁ ୱାଙ୍ଗ ୱି ଭାରତ ପ୍ରତିପକ୍ଷଙ୍କୁ ଆମନ୍ତ୍ରଣ କରିଛନ୍ତି । ଡୋଭାଲ ଏହା ଉପରେ ସକରାତ୍ମକ ପ୍ରତିକ୍ରିୟା ଦେଇ କହିଛନ୍ତି, ଶୀଘ୍ର ବିବାଦୀୟ ପ୍ରସଙ୍ଗର ସଫଳତାପୂର୍ବକ ସମାଧାନ କରାଯିବା ପରେ ସେ ଚୀନ ଯାତ୍ରା କରି ପାରନ୍ତି ।

 

Get real time updates directly on you device, subscribe now.