fbpx

ଖରାରେ ଶୁଖୁଛି  AK -47 ସହିତ ୫୦୦ରୁ ଅଧିକ ଭୟଙ୍କର ମାରଣାସ୍ତ୍ର, ଭିଡିଓ ଭାଇରାଲ ହେବା ପରେ ଖେଳିଗଲା ଚହଳ

ବେଙ୍ଗାଲୁର: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରର ଉଲ୍ଲାଲରୁ ଏକ ଚକିତ କରିଦେବା ଭଳି ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକେ ୪୭, ଏସଏଲ୍‌ଆର୍ ଓ ଇନସାସ୍ ରାଇଫେଲ ସହିତ ବହୁ ଅସ୍ତ୍ରଶସ୍ତ୍ରକୁ ଲୋକମାନେ ଖରାରେ ଶୁଖାଉଥିବାର ଓ ସେଗୁଡିକର ସର୍ଭିସିଂ କରୁଥିବାର ନଜର ଆସୁଛି । ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଭିଡିଓ ଭାଇରାଲ ହେବା ପରେ ପୋଲିସର ବୟାନ ସାମ୍ନାକୁ ଆସିଛି ଓ ପୋଲିସ ଏହା ପଛରେ ଥିବା ରହସ୍ୟ ଖୋଲିଛି ।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବେଙ୍ଗାଲୁର ନିକଟ ଉଲ୍ଲାଲ ଉପନଗରରେ ସିଟି ଆର୍ମଡ ରିଜର୍ଭର ଅସ୍ତ୍ରାଗାର ରହିଛି । ଏହି ଅସ୍ତ୍ରାଗାରରେ ସମସ୍ତ ଅସ୍ତ୍ରଶସ୍ତ୍ର ରଖାଯାଏ । ସୋମବାର ସନ୍ଧ୍ୟାରେ ବେଙ୍ଗାଲୁରରେ ହୋଇଥିବା ମୂଷଳଧାରା ବର୍ଷାରେ ଏହି ଅସ୍ତ୍ରାଗାରର ପାଚେରୀର ଏକ ଅଂଶ ଭାଙ୍ଗି ଯାଇଥିଲା । ଫଳରେ ବର୍ଷା ପାଣି ଅସ୍ତ୍ରାଗାର ମଧ୍ୟକୁ ପଶି ଯାଇଥିଲା । ପାଣି ସହିତ ଆସିଥିବା ମଇଳା ମଧ୍ୟ ଅସ୍ତ୍ରାଗାର ମଧ୍ୟରେ ପଶି ଯାଇଥିଲା । ଏଣୁ ସମସ୍ତ ଅସ୍ତ୍ରଶସ୍ତ୍ର ଯେପରି ଖରାପ ନ ହେବ ସେଥିପାଇଁ ସେସବୁକୁ ଖରାରେ ଶୁଖାଯିବା ସହ ସେଗୁଡିକର ସର୍ଭିସିଂ କରାଯାଉଛି । ପ୍ରାୟ ୫୦୦ରୁ ଅଧିକ ଛୋଟ ବଡ ଅସ୍ତ୍ରଶସ୍ତ୍ର ଖରାରେ ଶୁଖାଯାଉଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଦେଶରେ ଚହଳ ଖେଳିଯାଇଥିଲା । କିନ୍ତୁ ସ୍ଥାନୀୟ ଡିସିପିଙ୍କ ବୟାନ ଆସିବା ପରେ ଏହି ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି ।

Get real time updates directly on you device, subscribe now.