fbpx

ବଲିଉଡ ବନାମ ସାଉଥ ବିବାଦ ଉପରେ ମୁହଁ ଖୋଲିଲେ ଅକ୍ଷୟ କୁମାର, କହିଲେ-ଇଂରେଜ ପରି କାମ କର ନାହିଁ

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଫିଲ୍ମ ଯେଉଁ ଭଳି ସିନେମାଘରେ ରାଜ କରିବାରେ ଲାଗିଛି ଏହା ପରେ ବଲିଉଡ ବନାମ ସାଉଥ ଇଣ୍ଡଷ୍ଟ୍ରୀକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଛି। ନିକଟରେ ରିଲିଜ୍ ଅନେକ ବଲିଉଡ ଫିଲ୍ମ କିଛି ଖାସ୍ ବ୍ୟବସାୟ କରି ପାରିନଥିବା ବେଳେ ସେଠି ସାଉଥ ଫିଲ୍ମ ରେକର୍ଡ ପରେ ରେକର୍ଡ ଆୟ କରିଛନ୍ତି। ଏହାକୁ ନେଇ ସେଲିବ୍ରିଟିଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିବାରେ ଲାଗିଛି।

ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଭାଷାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। ଏବେ ଏହି ପୂରା ମାମଲାରେ ଅକ୍ଷୟ କୁମାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଅକ୍ଷୟଙ୍କୁ ଯେବେ ଏହି ବିଷୟରେ ପ୍ରଶ୍ନ କରାଗଲା ସେ କହିଛନ୍ତି, କାହିଁକି ଅଲଗା ଅଲଗା ଇଣ୍ଡଷ୍ଟ୍ରୀ କଥା ଉଠୁଛି। କାହିଁକି ଗୋଟିଏ ଇଣ୍ଡଷ୍ଟ୍ରୀ କୁହାଯାଉ ନାହିଁ।

ସମସ୍ତ ଭାଷା ବହୁତ ଭଲ ଏବଂ ଆମେ ନିଜ ମାତୃଭାଷାରେ କଥା ହୋଇଥାଉ। ଇଣ୍ଡିଆ ଟୁଡେ ସହ ଆଲୋଚନା ବେଳେ ଅକ୍ଷୟ କହିଛନ୍ତି, ଲୋକେ ଆମର ପ୍ରତିଭା ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ଆମ ସଭିଙ୍କ ନିକଟରେ ରହିଛି। ଏବେ ଟୁଇଟରରେ ପ୍ରତ୍ୟେକ ଲୋକ ସମୀକ୍ଷକ ହୋଇ ଗଲେଣି ଏବଂ ସବୁ ବିଷୟରେ ନିଜର ରାୟ ରଖିବାକୁ ଚାହୁଁଛନ୍ତି। ଏମିତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଅକ୍ଷୟ କୁମାର।

ସେ କହିଛନ୍ତି, ଦୁଇ ଇଣ୍ଡଷ୍ଟ୍ରୀରେ କାମ କରୁଥିବା ଲୋକେ ଦେଶକୁ ବିଭାଜନ କରିବା ବନ୍ଦ କରନ୍ତୁ। ଦକ୍ଷିଣ ଭାରତ ଏବଂ ଉତ୍ତର ଭାରତ କହିବା ବନ୍ଦ କରାଯାଉ। ମୁଁ ବ୍ୟକ୍ତିଗତ ଭାବେ ଅନୁଭବ କରେ ଯେ, ଏହା ଭାରତୀୟ ଫିଲ୍ମ ଜଗତ। ମୋର କାମନା ଯେ, ତାଙ୍କ ସହ ଆମର ଫିଲ୍ମ ମଧ୍ୟ ଏକାଠି ଚାଲୁ।

ଅକ୍ଷୟ କହିଛନ୍ତି, ଆଜି ଯେମିତି ଘଟୁଛି, ସେମିତି ସ୍ଵାଧୀନତା ସମୟରେ ମଧ୍ୟ ଘଟିଥିଲା। ଏହି କାମ ଇଂରେଜ ମାନେ କରିଥିଲେ। ସେମାନେ ସାଉଥ ଇଣ୍ଡିଆ, ନର୍ଥ ଇଣ୍ଡିଆ, ଇଷ୍ଟ ଇଣ୍ଡିଆରେ ଦେଶକୁ ବାଣ୍ଟି ଦେଇଥିଲେ। ସେମାନଙ୍କ ପରି କାମ ଜମାରୁ କରନ୍ତୁ ନାହିଁ। କିଏ କଣ କହେ ମୁଁ ସେଥିପ୍ରତି ଧ୍ୟାନ ଦିଏ ନାହିଁ, ମୁଁ କେବଳ ନିଜର କାମ ଉପରେ ନଜର ରଖେ ବୋଲି ଅକ୍ଷୟ କୁମାର କହିଛନ୍ତି।

Get real time updates directly on you device, subscribe now.