fbpx

ଓଡିଶା ସମେତ କର୍ଣ୍ଣାଟକ, ୟୁପି,ବିହାର, ଛତିଶଗଡରେ ସମସ୍ତ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ,୧୩ ।୩: ବିଶ୍ୱ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା ଭାଇରସ୍ । ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨,୫୦୦ ହୋଇଥିବା ବେଳେ ଏଥିରେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୬୮ ହଜାରରୁ ଅଧିକ ଲୋକ ସଂକ୍ରମଣରୁ ସୁସ୍ଥ ହୋଇଥିବା ସୂଚନା ରହିଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି । କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ସ୍କୁଲ, କଲେଜ ବନ୍ଦ କରାଯାଇଛି ।

ଦିଲ୍ଲୀ, ହରିୟାଣା ଓ କେରଳ ପରେ ଉତ୍ତରପ୍ରଦେଶରେ କରୋନା ଭାଇରସକୁ ମହାମାରୀ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ୟୁପିରେ ମାର୍ଚ୍ଚ ୨୨ ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ଭାଇରସକୁ ଓଡିଶାରେ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହ ବିଧାନସଭାର ପ୍ରକ୍ରିୟା ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହା ସହ ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସହିପରି କରୋନା ପାଇଁ କର୍ଣ୍ଣାଟକର ସମସ୍ତ ସ୍କୁଲ, କଲେଜ, ମଲ୍, ସିନେମା ହଲ୍,ପବ୍, କ୍ଲବ୍ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକରେ ଗ୍ରୀଷ୍ମ ପ୍ରଦର୍ଶନୀ, ଗ୍ରୀଷ୍ମ ଶିବିର, ସୁଇମିଂ ପୁଲ୍, ଖେଳ ଓ କ୍ରୀଡା ଇଭେଣ୍ଟ, ଫୁଟବଲ୍, ବିବାହ ସମାରୋହ ଓ ସମ୍ମିଳନୀ ନିଷେଧ ହୋଇଛି ।

ଛତିଶଗଡରେ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ପାଠାଗାର, ଜିମ୍, ଅଙ୍ଗନୱାଡି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିହାର ସରକାର କରୋନ ଭୟରେ ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.