ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ଏହି ରାଜ୍ୟର ୫ ଜିଲ୍ଲାରେ ୨ ଦିନ ଯାଏଁ ସ୍କୁଲ ଛୁଟି

୧୩ ତାରିଖ ଓ ୧୪ ତାରିଖ ବନ୍ଦ ରହିବ ସ୍କୁଲ।

ହାଇଦ୍ରାବାଦ: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର।  ଆସନ୍ତା ୨ ଦିନ ବନ୍ଦ ରହିବ ସ୍କୁଲ। ହେଲେ ସବୁ ଜାଗାରେ ନୁହେଁ। ଏହି ରାଜ୍ୟର ୫ଟି ଜିଲ୍ଲାରେ ବନ୍ଦ ରହିବ ସ୍କୁଲ।  ହେଲେ ଆପଣ ଜାଣିଛନ୍ତି କି କାହିଁକି ୨ ଦିନ ସ୍କୁଲ ଛୁଟି ରହିବ। ତେବେ ଆସନ୍ତୁ ଜାଣିବା।

ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି ହୋଇଥିବା ରେଡ୍ ଆଲର୍ଟକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ସରକାର ୫ଟି ଜିଲ୍ଲାର ସମସ୍ତ ସ୍କୁଲକୁ ଅଗଷ୍ଟ ୧୩ ଓ ୧୪ ତାରିଖରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

ସ୍କୁଲ ଛୁଟି: ବର୍ଷା ନେଇ ତେଲେଙ୍ଗାନା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପାଞ୍ଚଟି ଜିଲ୍ଲାର ସମସ୍ତ ସ୍କୁଲକୁ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କର୍ତ୍ତୃପକ୍ଷ ଅଗଷ୍ଟ ୧୩ ତାରିଖରେ ହାଇଦ୍ରାବାଦର ସ୍କୁଲ ଗୁଡିକୁ ହାଫ୍ ଡେ ଛୁଟି ଘୋଷଣା କରିଥିବା ବେଳେ ଆଇଟି କମ୍ପାନୀଗୁଡିକୁ ଘରୁ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ଯେହେତୁ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ହନୁମାକୋଣ୍ଡା, ଜାନଗାଓଁ, ମହାବୁବାବାଦ, ୱାରାଙ୍ଗଲ ଏବଂ ୟଦାଦ୍ରି ଭୁବନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଶିକ୍ଷା ବିଭାଗ ଏହି ଜିଲ୍ଲାଗୁଡ଼ିକର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି।

ବିଭାଗ ପକ୍ଷରୁ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ୍ କର୍ପୋରେସନ୍ (GHMC) ଅଞ୍ଚଳର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲରେ ୨ ଦିନ ପାଇଁ ଅଧା ଦିନ ଛୁଟି ଘୋଷଣା କରାଯାଇଛି।

ହାଇଦ୍ରାବାଦ ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ସମ୍ପତ୍ତି ସୁରକ୍ଷା ସଂସ୍ଥା (HYDRAA) ନିମ୍ନ ଅଞ୍ଚଳରେ ରହୁଥିବା ବାସିନ୍ଦାମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

ପ୍ରବଳ ବର୍ଷାର ସମ୍ଭାବନା: ଅଗଷ୍ଟ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏପରିକି ଉତ୍ତର ହାଇଦ୍ରାବାଦ, ମେଡଚାଲ ମାଲକାଜଗିରି ଜିଲ୍ଲା, ସାଇବରାବାଦ ଅଞ୍ଚଳ ସର୍ବାଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ୧୦-୧୫ ସେମି ବର୍ଷା ହେବାର ସମ୍ଭାବନା ଅଛି, ଏବଂ କିଛି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

ଆଲର୍ଟ ଜାରି: IMD ଅଗଷ୍ଟ ୧୩ ଏବଂ ୧୪ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ହନୁମାକୋଣ୍ଡା, ଜାନଗାଓଁ, ମହାବୁବାବାଦ, ୱାରାଙ୍ଗଲ, ୟଦାଦ୍ରି ଭୁବନଗିରି, ମେଡକ, ସାଙ୍ଗାରେଡ୍ଡି ଏବଂ ଭିକାରାବାଦ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

ସେହିପରି ହାଇଦ୍ରାବାଦ ଏବଂ ସଂଲଗ୍ନ ରଙ୍ଗାରେଡ୍ଡି ଏବଂ ମେଡଚାଲ ମାଲକାଜଗିରି ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ତେଣୁ ଏହିସବୁ ଜିଲ୍ଲାରେ ସ୍କୁଲ ଛୁଟି ହେବା ନେଇ ସରକାର ଘୋଷଣା କରିଛନ୍ତି।