fbpx

ହିନ୍ଦୁ ମହିଳା ଓ ମୁସଲିମ୍ ଯୁବକ ଲିଭ ଇନ୍ ରିଲେସନରେ ରହିବାକୁ ନେଇ ଦାୟର କରିଥିଲେ ଯାଚିକା: କୋର୍ଟ କହିଲେ ଏହା ଅନୁଚିତ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଜଣେ ହିନ୍ଦୁ ମହିଳାଙ୍କ ଯାଚିକା ଉପରେ ଶୁଣାଣୀ କରି କହିଛନ୍ତି ଇସଲାମରେ ଲିଭ୍ ଇନ୍ ରିଲେସନ୍ କୁ ସ୍ୱୀକୃତି ମିଳିବ ନାହିଁ । ଏହି ମହିଳା ଜଣକ ମୁସଲିମ୍ ଯୁବକଙ୍କ ସହ ଲିଭ୍ ଇନରେ ରହୁଥିଲେ । ମହିଳା ପୋଲିସ ଉପରେ ନିର୍ଯ୍ୟାତନା ଅଭିଯୋଗ ଲଗାଇ ସୁରକ୍ଷା ଦାବୀ କରିଥିଲେ । କିନ୍ତୁ କୋର୍ଟ ମହିଳାଙ୍କ ଯାଚିକାକୁ ଖାରଜ କରି ଦେଇଛନ୍ତି ।

ବିବାହ ପୂର୍ବରୁ ଲିଭ୍ ଇନ୍ ରିଲେସନରେ ରହିବା କିମ୍ବା ଶାରୀରିକ ସମ୍ବନ୍ଧ ରଖିବା ଇସଲାମ୍ ଧର୍ମରେ ସଂପୂର୍ଣ୍ଣ ଭୁଲ୍ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ । କୋର୍ଟ ଏକ ଦମ୍ପତିଙ୍କ ଯାଚିକା ଉପରେ ଶୁଣାଣୀ କରି ଏହି ରାୟ ଦେଇଛନ୍ତି । ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ବିଚାରପତି ସଙ୍ଗୀତା ଚନ୍ଦ୍ରା ଓ ନରେନ୍ଦ୍ର କୁମାର ଜୋହରୀ ଦାଖଲ ହୋଇଥିବା ଯାଚିକାର ଜବାବରେ କହିଛନ୍ତି ଏହା ଏକ ସାମାଜିକ ସମସ୍ୟା । ଏଣୁ ଏହା ସାମାଜିକ ରୂପରେ ଦୂର ହୋଇପାରିବ । ଏଥିଲାଗି ରିଟ୍ ପିଟିସନ ଦାଖଲ କରିବାର କୌଣସି ଆବଶ୍ୟକତା ନାହିଁ ।

ଯାଚିକା ଦାୟର କରିଥିବା ୨୯ ବର୍ଷୀୟା ହିନ୍ଦୁ ମହିଳା ଜଣେ ୩୦ ବର୍ଷୀୟ ମୁସଲିମ୍ ଯୁବକଙ୍କ ସହ ଲିଭ୍ ଇନ୍ ରେ ରହୁଛନ୍ତି । ମହିଳା ତାଙ୍କ ଯାଚିକାରେ କହିଥିଲେ ଯେ, ପୋଲିସ ତାଙ୍କୁ ହଇରାଣ କରୁଛି । ଏଣୁ ତାଙ୍କୁ ସୁରକ୍ଷା ଦିଆଯାଉ । ମହିଳାଙ୍କ ମା ମଧ୍ୟ ଏମାନଙ୍କ ରିଲେସନକୁ ନେଇ ପୋଲିସରେ ଅଭିଯୋଗ କରିଥିଲେ ଯାହା ବିଷୟରେ ଯାଚିକାରେ ଉଲ୍ଲେଖ କରାଯାଇଥିଲା ।

କୋର୍ଟ କହିଛନ୍ତି ମହିଳା ଜଣକ ଯାଚିକାରେ ଭବିଷ୍ୟତରେ ବିବାହ କରିବେ କି ନା ସେ ସଂପର୍କରେ କିଛି ଉଲ୍ଲେଖ କରି ନାହାନ୍ତି । ଇସଲାମ୍ ଧର୍ମରେ ବିନା ବିବାହରେ ଫିଜିକାଲ୍ ରିଲେସନକୁ ମାନ୍ୟତା ଦିଆଯାଇପାରିବ ନାହିଁ । ଏହା ବ୍ୟତିତ ଇସଲାମରେ ବିବାହ ପୂର୍ବରୁ ପରସ୍ପରକୁ ସ୍ପର୍ଶ କରିବା, ଚୁମ୍ବନ ଦେବା ଆଦି ଉପରେ ବାରଣ ରହିଛି । କୋରାନରେ ଉଲ୍ଲେଖ ଥିବା କହି କୋର୍ଟ କହିଛନ୍ତି ଯଦି ବି କେହି ଏହା କରେ ତେବେ ସଂପୃକ୍ତି ଅବିବାହିତ ଯୁବକ ଓ ମହିଳାଙ୍କ ଉପରକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ପଥର ମାଡ କରାଯିବାର ଦଣ୍ଡ ଦିଆଯାଇଥାଏ ।

Get real time updates directly on you device, subscribe now.