ଉତ୍ତରପ୍ରଦେଶର ସମ୍ବଲ ସ୍ଥିତ ଶାହୀ ଜାମା ମସଜିଦ ସର୍ଭେ ମାମଲାରେ ଇଲାହାବାଦ ହାଇକୋର୍ଟ ମୁସଲିମ ପକ୍ଷକୁ ବଡ଼ ଝଟକା ଦେଇଛି। ମେ ୧୯, ୨୦୨୫ରେ ହାଇକୋର୍ଟ ମସଜିଦ ପରିଚାଳନା କମିଟି ଦାଖଲ କରିଥିବା ସିଭିଲ ରିଭିଜନ ପିଟିସନକୁ ଖାରଜ କରି ଜିଲ୍ଲା ଅଦାଲତର ସର୍ଭେ ଆଦେଶକୁ ବଳବତ୍ତର ରଖିଛି। ନ୍ୟାୟମୂର୍ତ୍ତି ରୋହିତ ରଞ୍ଜନ ଅଗ୍ରୱାଲଙ୍କ ଅଦାଲତ ଏହି ନିଷ୍ପତ୍ତି ନେଇଛି, ଯେଉଁଥିରେ କୁହାଯାଇଛି ଯେ ଜିଲ୍ଲା ଅଦାଲତର ଆଦେଶରେ କୌଣସି ତ୍ରୁଟି ନାହିଁ।
ଏହି ମାମଲା ତିନି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, ଯେତେବେଳେ ଅଧିବକ୍ତା ହରିଶଙ୍କର ଜୈନ ସମେତ ଅନ୍ୟ ସାତ ଜଣ ଦାବି କରିଥିଲେ ଯେ ଜାମା ମସଜିଦ ଏକ ପ୍ରାଚୀନ ହରିହର ମନ୍ଦିର ସ୍ଥାନରେ ନିର୍ମିତ। ଏହି ଦାବି ଅନୁଯାୟୀ, ଜିଲ୍ଲା ଅଦାଲତ ଏଡଭୋକେଟ କମିଶନରଙ୍କ ମାଧ୍ୟମରେ ପ୍ରାଥମିକ ସର୍ଭେ ପାଇଁ ଆଦେଶ ଦେଇଥିଲା, ଯାହାକୁ ମସଜିଦ କମିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ମେ ୧୩, ୨୦୨୫ରେ ଶୁଣାଣି ପରେ ହାଇକୋର୍ଟ ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ ଏବଂ ଶେଷରେ ମୁସଲିମ ପକ୍ଷର ପିଟିସନକୁ ଖାରଜ କରିଛନ୍ତି।
ଏହି ନିଷ୍ପତ୍ତି ପରେ ହିନ୍ଦୁ ପକ୍ଷର ଅଧିବକ୍ତା ହରିଶଙ୍କର ଜୈନ କହିଛନ୍ତି, “ଅଦାଲତ ମୁସଲିମ ପକ୍ଷର ଆବେଦନକୁ ଖାରଜ କରି ସର୍ଭେ ଆଦେଶକୁ ସଠିକ୍ ବୋଲି ଗ୍ରହଣ କରିଛି।” ଅନ୍ୟପକ୍ଷରେ, ମସଜିଦ ପକ୍ଷର ଅଧିବକ୍ତା ଶକୀଲ ଅହମଦ ବାରସି ଆଶା ପ୍ରକାଶ କରିଥିଲେ ଯେ ସତ୍ୟର ଜୟ ହେବ, କିନ୍ତୁ ନିଷ୍ପତ୍ତି ସେମାନଙ୍କ ବିପକ୍ଷରେ ଗଲା।
ଏହି ଘଟଣା ସମ୍ବଲରେ ପୂର୍ବରୁ ଉତ୍ତେଜନା ସୃଷ୍ଟି କରିଥିଲା। ୨୪ ନଭେମ୍ବର ୨୦୨୪ରେ ସର୍ଭେ ସମୟରେ ହିଂସା ହୋଇଥିଲା, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକେ ଆହତ ହୋଇଥିଲେ। ଏହି ନିଷ୍ପତ୍ତି ଆଞ୍ଚଳିକ ସ୍ଥିତିକୁ ଆହୁରି ଜଟିଳ କରିପାରେ ବୋଲି ଆଶଙ୍କା କରାଯାଉଛି। ମାମଲାର ପରବର୍ତ୍ତୀ ସୁଣାଣି ଏବଂ ସର୍ଭେ ପ୍ରକ୍ରିୟା ଉପରେ ସମସ୍ତଙ୍କ ନଜର ରହିଛି।