fbpx

ଆନ୍ଦୋଳନ ମଝିରେ କୃଷକ ଉଡାଇଲେ ଗୁଡି, ଜାଣନ୍ତୁ ଏହା ପଛରେ ଥିବା ଉଦ୍ଦେଶ୍ୟ

ନୂଆଦିଲ୍ଲୀ:କୃଷକଙ୍କ ‘ଦିଲ୍ଲୀ ଚଲୋ’ ମାର୍ଚ୍ଚର ଆଜି ଦ୍ୱିତୀୟ ଦିନ । ହଜାର ହଜାର ସଂଖ୍ୟାରେ କୃଷକ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପ୍ରବେଶ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି କିନ୍ତୁ ପୋଲିସ ସେମାନଙ୍କୁ ପଞ୍ଜାବ ଓ ହରିୟାଣାର ଶମ୍ଭୁ ବର୍ଡରରେ ଅଟକାଇ ରଖିଛି । କୃଷକଙ୍କୁ ଅଟକାଇବା ପାଇଁ ଓ ତାଙ୍କ ମେଳିକୁ ଭାଙ୍ଗିବା ପାଇଁ ପୋଲିସ ଲଗାତର ଲୁହବୁହା ଗ୍ୟାସ୍ ଗୋଳା ପକାଇବା ସହ ପାଣି ମଧ୍ୟ ସ୍ପ୍ରେ କରୁଛି । ଏହି କାରଣରୁ ଶମ୍ଭୁ ବର୍ଡରରେ ସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ରହିଛି ।

ମଙ୍ଗଳବାର ସକାଳୁ ଶମ୍ଭୁ ବର୍ଡରରେ ଆନ୍ଦୋଳନକାରୀ କୃଷକମାନେ ଅଟକି ରହିଛନ୍ତି । କିନ୍ତୁ ପୋଲିସ ଡ୍ରୋନ୍ ମାଧ୍ୟମରେ ଲଗାତର ଲୁହବୁହା ଗ୍ୟାସ୍ ଗୋଳା ପକାଉଛି । କୃଷକମାନଙ୍କ ଆନ୍ଦୋଳନ ଆଗକୁ ଯିବାରେ ଡ୍ରୋନ୍ ବାଧା ସୃଷ୍ଟି କରୁଛି । ଏହି ଡ୍ରୋନ୍ ବାଧାକୁ ଦୂର କରିବା ପାଇଁ କୃଷକମାନେ ବୁଧବାର ଠାରୁ ଶମ୍ଭୁ ବର୍ଡରରେ ଗୁଡି ଉଡାଇବା ଆରମ୍ଭ କରିଦେଇଛନ୍ତି । ଗୁଡି ତାରରେ ଡ୍ରୋନକୁ ଫସାଇ ତଳକୁ ଖସାଇବା ସେମାନଙ୍କ ଲକ୍ଷ୍ୟ ରହିଛି ।

ତେବେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଲୁହବୁହା ଗ୍ୟାସ୍ ଗୋଳା ପକାଇବା ଲାଗି ଡ୍ରୋନର ବ୍ୟବହାର କରାଯିବାକୁ ପଞ୍ଜାବର ଅଧିକାରୀମାନେ ଆପତ୍ତି ଉଠାଇଛନ୍ତି ଓ ହରିୟାଣା ଅମ୍ବାଲାର ଉପଜିଲ୍ଲାପାଳଙ୍କୁ ପତ୍ର ଲେଖି ଡ୍ରୋନ୍ ନ ପଠାଇବାକୁ କହିଛନ୍ତି । ଅନ୍ୟପକ୍ଷରେ କୃଷକମାନେ ଦାବୀ କରିଛନ୍ତି କି ଯେତେବେଳେ ସେମାନେ ପଞ୍ଜାବ ଅଞ୍ଚଳ ମଧ୍ୟରେ ଛିଡା ହୋଇଥିଲେ ଡ୍ରୋନ୍ ଦ୍ୱାରା ତାଙ୍କ ଉପରକୁ ଲୁହବୁହା ଗ୍ୟାସର ବହୁ ଗୋଳା ନିକ୍ଷେପ କରାଯାଇଥିଲା ।

Get real time updates directly on you device, subscribe now.