fbpx

ବିଗ୍-ବି ସେଆର୍ କଲେ ପତ୍ନୀ ଜୟାଙ୍କ ସହ ବିବାହ ବେଳର ଫଟୋ, ଫ୍ୟାନ୍ ଜଣାଉଛନ୍ତି ଶୁଭେଚ୍ଛା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳଚ୍ଚିତ୍ର ଜଗତର ବେତାଜ୍ ବାଦଶାହ ଓ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନଙ୍କ ପରିଚୟ ଦେବା ଆବଶ୍ୟକ ପଡ଼େନା । ଏହି ମହାନ ଅଭିନେତା ଆଜି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଟ୍ରେଣ୍ଡିଂରେ ରହିଛନ୍ତି ଅଭିତାଭ ଓ ତାଙ୍କ ପତ୍ନୀ ଜୟା ।

ବଲିଉଡ୍ ଜଗତର ସୁପର୍ ଯୋଡ଼ି ଅମିତାଭ ଓ ଜୟା ବଚ୍ଚନ ଇତିମଧ୍ୟରେ ସଂସାର କରିବାରେ ପାରକଲେଣି ୪୮ବର୍ଷ । ଦୀର୍ଘତମ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବାରେ ଟପ୍ ସେଲିବ୍ରିଟି ମଧ୍ୟରେ ନିଶ୍ଚିତ ଭାବେ ଶୀର୍ଷରେ ରହିବେ ଏହି ଯୋଡ଼ି । ଆଜି ସେମାନଙ୍କ ବିବାହ ବାର୍ଷିକୀ । ଏହି ଅବସରରେ ନିଜେ ବିଗ୍-ବି ସୋସିଆଲ୍ ମିଡିଆରେ ଛାଡ଼ିଛନ୍ତି ଉଭୟଙ୍କ ସୁଖୀ ଜୀବନର ବିରଳ ମୁହୂର୍ତ୍ତର ଫଟୋ । ଯାହାକୁ ଫ୍ୟାନ୍ ମାନେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ମତାମଦ ଦେବା ସହ ଜଣାଉଛନ୍ତି ବିବାହ ବାର୍ଷିକୀର ଅଭିନନ୍ଦନ । ଶୁଭେଚ୍ଛାର ସୁଅ ଛୁଟୁଛି ଅମିତାଭ ଓ ଜୟାଙ୍କୁ ।

୧୯୭୩ ଜୁନ୍ ୩ରେ ବିବାହ ବନ୍ଧନରେ ଯୋଡ଼ି ହୋଇଥିଲେ ଏହି ଷ୍ଟାର୍ ଦମ୍ପତି । ଏହାପରଠାରୁ ଦୁହେଁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଆସିଛନ୍ତି । ଚଳଚ୍ଚିତ୍ର ଜଗତରେ ବିଗ୍-ବି ଅଦ୍ୱିତୀୟ ମାଇଲଖୁଣ୍ଟ ସ୍ଥାପନ କରିଚାଲିଥିବାବେଳେ ରାଜନୀତି କ୍ଷେତ୍ରରେ ମଧ୍ୟ ଜୟାଙ୍କ ରହିଛି ଆଦୃତି ଓ ଲୋକପ୍ରିୟତା । ସାଧାରଣ ଫ୍ୟାନମାନଙ୍କ ପାଇଁ ଏହି ସୁପର୍ ଯୋଡ଼ିଙ୍କ ବିବାହ ବେଳର କିଛି ଅଦେଖା ଫଟୋ ଆଜି ସେଆର୍ କରିବା ଅବସରରେ ଅମିତାଭ ପ୍ରଶଂସକଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି । ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ସମସ୍ତଙ୍କୁ ସମ୍ମାନ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । କହିଛନ୍ତି ଆମ ବିବାହ ବାର୍ଷିକୀରେ ଜୟା ଓ ମୋତେ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ଆମର ଯଥେଷ୍ଟ ସମ୍ମାନ ଓ ସାଧୁବାଦ ଜଣାଉଛୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗ୍-ବି ଓ ଜୟା ବହୁ ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି । ସେ ମଧ୍ୟରୁ ଅନେକ ବ୍ଲକବଷ୍ଟର୍ ବା ସୁପର୍ ଡୁପର୍ ହିଟ୍ ମଧ୍ୟ ହୋଇଛି । ଅଭିମାନ, ଚୁପକେ ଚୁପକେ, ସିଲସିଲା, ମିଲି, ଜଞ୍ଜୀର୍, କଭି ଖୁସି କଭି ଗମ୍ ଭଳି ଫିଲ୍ମ ଆଜି ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରେ । ଠିକ୍ ସେହିପରି ଏହି ଦୁଇ ବରିଷ୍ଠ କଳାକାର ମଧ୍ୟ ଆଜି ନିଜର ସ୍ୱତନ୍ତ୍ରତା ପାଇଁ ହଜାର ହଜାର ପ୍ରଶଂସକ ସୃଷ୍ଟି କରିପାରିଛନ୍ତି । ଏହି ଭାଗ୍ୟବାନ ଦମ୍ପତିଙ୍କ ଦୁଇଟି ସନ୍ତାନ- ଜଣେ ଅଭିନେତା ଅଭିଷେକ ଓ ଅନ୍ୟ ଜଣେ ହେଉଛନ୍ତି ଶ୍ୱେତା । ଅଭିଷେକ ମଧ୍ୟ ବିଶ୍ୱ ସୁନ୍ଦରୀ ଐଶ୍ଚର୍ଯ୍ୟାଙ୍କୁ ବିବାହ କରିଥିବାବେଳେ କୁନି ଝିଅ ଆରାଧନା ସମ୍ପ୍ରତି ବଚନ ପରିବାରରେ ହସିଖେଳି ବୁଲୁଛି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

Get real time updates directly on you device, subscribe now.