fbpx

ଆଲଫା ଭାରିଆଣ୍ଟ ତୁଳନାରେ ଡେଲଟା ଭାରିଆଣ୍ଟ ୪୦ରୁ ୫୦ ପ୍ରତିଶତ ଅଧିକ ସଂକ୍ରାମକ, ଅଧ୍ୟୟନରୁ ହେଲା ଖୁଲାସା

ନୂଆଦିଲ୍ଲୀ : ଭାରତରେ ମିଳିଥିବା କରୋନା ଭାରିଆଣ୍ଟର ନାମକରଣ ବିଶ୍ୱ ସ୍ତରରେ କରାଯାଇଛି । ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଡେଲଟା ରଖାଯାଇଛି । ମେ’ ୧୨ ତାରିଖରେ ଭାରତୀୟ ଭାରିଆଣ୍ଟ ବି.୧.୬୧୭କୁ ଠାବ କରାଯାଇଥିଲା । ତେବେ ଏହି ଭାରିଆଣ୍ଟ ଏବେ ଲୋକମାନଙ୍କ ଭିତରେ ଖୁବ୍ ଜୋରରେ ବ୍ୟାପିବାରେ ଲାଗିଛି । ହେଲେ ମେ’ ଶେଷ ସପ୍ତାହରୁ ନୁତନ ମାମଲାରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ମେ ମାସରେ ଏହି ଭାରିଆଣ୍ଟ ଭାରତ ସମେତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ବ୍ୟାପିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ ଦେଶ ଏହାକୁ ନେଇ ଖୁଲାସା କରିଥିଲେ । ହେଲେ ଏହା ଯେତେବେଳେ ତୀବ୍ର ହେବାକୁ ଲାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ନାମକରଣ କରିଥିଲେ । ହେଲେ ଏବେ ଏହାକୁ ନେଇ ବିଶେଷଜ୍ଞ ମାନେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ନ୍ୟାସନାଲ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ପକ୍ଷରୁ କୁହାଯାଇଛି ଯେ, “ଡେଲଟା ଭାରିଆଣ୍ଟ, ଆଲଫା ଭାରିଆଣ୍ଟ ତୁଳନାରେ ୪୦-୫୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଛି । ଏହି ଭାରିଆଣ୍ଟ ଖୁବ୍ ଶୀଘ୍ର ଲୋକମାନଙ୍କ ଠାରେ ବ୍ୟାପୁଥିବା ଏକ ଅଧ୍ୟୟନରୁ ଜଣାପଡିଛି । ଏହି ଡେଲଟା ଭାରିଆଣ୍ଟ କାରଣରୁ ହିଁ ଦ୍ୱିତୀୟ ଲହରରେ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ମାତ୍ର ୧୦ ଦିନରେ ନୁତନ ସଂକ୍ରମଣ ମାମଲା ୧୦ ପ୍ରତିଶତ ବଢ଼ିଯାଇଥିଲା । ବେଳେ ବେଳେ ଏହା ୨୦ ପ୍ରତିଶତକୁ ବଢ଼ିଛି” । ହେଲେ ଅନ୍ୟପଟେ ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି ହେଲେ ଏହା ସହିତ ଡେଲଟା ଭାରିଆଣ୍ଟକୁ ଯୋଡାଯାଇ ନାହିଁ । ଏପର୍ଯ୍ୟନ୍ତ କରାଯାଇଥିବା ଆକଳନରେ ମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ ଡେଲଟା ଭାରିଆଣ୍ଟ ବୋଲି ସ୍ପଷ୍ଟ ହୋଇନାହିଁ । ଏହା ଖୁବ୍ ଶୀଘ୍ର ବ୍ୟାପୁଥିବାରୁ କେବଳ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଅଧ୍ୟୟନରେ କୁହାଯାଇଛି ।

Get real time updates directly on you device, subscribe now.