fbpx

ମୋଦିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ: ଏୟାରଫୋର୍ସ ଷ୍ଟେସନ୍‌ ବିସ୍ଫୋରଣରେ ସାମିଲ ଆତଙ୍କୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଶଙ୍କା

ପ୍ରତିରକ୍ଷା କ୍ଷେତ୍ର ପ୍ରତି ଭବିଷ୍ୟତରେ ଉପୁଜିବାକୁ ଥିବା ଚାଲେଞ୍ଜ ନେଇ ଚର୍ଚ୍ଚା

AAKASH

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ୍‌, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ଓ ପ୍ରତିରକ୍ଷା ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହିବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଭବିଷ୍ୟତରେ ଉପୁଜିବାକୁ ଥିବା ଚାଲେଞ୍ଜ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯିବା ସହ ଏଗୁଡ଼ିକର ମୁକାବିଲାର ଦିଗ ସମ୍ପର୍କରେ ବିଚାରବିମର୍ଶ କରାଯାଇଛି । ଏହି ଅବସରରେ ଦେଶର ସୁରକ୍ଷା କର୍ମୀଙ୍କୁ ଅତ୍ୟାଧୁନିକ ଉପକରଣ ପ୍ରଦାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଉଦ୍ଦେଶ୍ୟ ଶନିବାର ବିଳମ୍ବିତ ରାତ୍ରରେ ଜାମ୍ମୁ ସ୍ଥିତ ଏୟାରଫୋର୍ସ ଷ୍ଟେସନ୍‌ ଉପରେ ହୋଇଥିବା ଡ୍ରୋନ୍‌ ଆକ୍ରମଣ ଘଟଣା ପ୍ରସଙ୍ଗରେ ଥିଲା । ଏହି ଆକ୍ରମଣ ଘଟଣାକୁ ନେଇ ଭାରତ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ବୈଠକରେ ଏନ୍‌ଏସ୍‌ଏ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ତଥ୍ୟ ଦେବା ସହ ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିବା କୁହାଯାଉଛି । ଜମ୍ମୁସ୍ଥିତ ଏୟାରଫୋର୍ସ ଷ୍ଟେସନ୍‌ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଦାୟିତ୍ୱ ଏନ୍‌ଆଇଏକୁ ଦିଆଯାଇଛି । ଏନ୍‌ଆଇଏ ଅଧିକାରୀମାନେ ସେଠାରେ ପହଞ୍ଚି ଘଟଣାର ଯାଞ୍ଚ୍‌ ଆରମ୍ଭ କରିବା ସହ ମଙ୍ଗଳବାର ପ୍ରାଥମିକ ଏଫ୍‌ଆଇଆର୍‌ ରୁଜୁ କରିଛନ୍ତି । ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତୋଏବା (ଏଲ୍‌ଇଟି) ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ଘଟାଇଥିବା ନେଇ ପ୍ରମାଣ ମିଳିବାରେ ଲାଗିଛି ।

ଜାମ୍ମୁ-କାଶ୍ମୀର ପୋଲିସ ଡିଜି ଦୀଲ୍‌ବାଗ୍‌ ସିଂ ମଧ୍ୟ ଏହି ଆକ୍ରମଣ ପଛରେ ଲସ୍କରର ହାତ ଥିବା କହିଛନ୍ତି । ରବିବାର ଆତଙ୍କୀ ଆକ୍ରମଣ ପରେ ସୋମବାର ମଧ୍ୟ ଏୟାରବେସ୍‌ ନିକଟରେ ଦୁଇଟି ଡ୍ରୋନ ଠାବ ହୋଇଥିଲା । ତେବେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ ଯୋଗୁ ଡ୍ରୋନ୍‌ ଦ୍ୱୟ ଛତ୍ରଭଙ୍ଗ ଦେଇଥିଲେ । ଏହା ପଛରେ ମଧ୍ୟ ଲସ୍କରର ହାତ ଥିବା ଜଣାପଡ଼ିଛି । ପୋଲିସ ମୁଖ୍ୟ ଦୀଲ୍‌ବାଗ୍‌ ସିଂ କହିଛନ୍ତି ଯେ ଜମ୍ମୁ ଏୟାରବେସ୍‌ ଆକ୍ରମଣ ପଛରେ ଲସ୍କରର ହାତ ରହିଥିବା ତଦନ୍ତରୁ ସାମ୍ନାକୁ ଆସିଛି । ସୋମବାର କାଲୁଛକରେ ଉଡ଼ିଥିବା ଡ୍ରୋନ ଘଟଣାରେ ମଧ୍ୟ ସମାନ ଗ୍ରୁ ରହିଛି । ୪ କେଜିର ବିସ୍ଫୋରକ ସହ ନଦୀମ୍‌ ଉଲ୍‌ ହକ୍‌ ନାମକ ଜଣେ ୨୨ ବର୍ଷୀୟ ଯୁବକକୁ ସୋମବାର ବିନିହାଲ୍‌ ଅଞ୍ଚଳରୁ ଗିରଫ କରାଯାଇଥିଲା । ତାକୁ ଜେରା କରିବା ପରେ ବାୟୁସେନା ଷ୍ଟେସନ୍‌ ବିସ୍ଫୋରଣ ପଛରେ ଲସ୍କରର ଭୂମିକା ରହିଥିବା ସାମ୍ନାକୁ ଆସିଛି । ବିସ୍ଫୋରଣ ପଛରେ ଏଲ୍‌ଇଟିର ହାତ ଥିବା ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ଏହି ଆତଙ୍କବାଦୀ ସଙ୍ଗଠନ ବିରୋଧରେ ସୁରକ୍ଷାକର୍ମୀମାନେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ରହିଛି । ଏହି କାରଣରୁ ମୋଦି ଜରୁରୀ ବୈଠକ କରିଥିବା କୁହାଯାଉଛି ।

ଅନ୍ୟପଟେ ପ୍ରଥମ ଥର ପାଇଁ ଡ୍ରୋନ୍ ଦ୍ବାରା ଆତଙ୍କବାଦୀମାନେ ଏୟାରଫୋର୍ସ ଷ୍ଟେସନ୍‌ ଉପରେ ଆକ୍ରମଣ କରିଥିବାରୁ ଏହାକୁ ବେଶ ଗୁରୁତ୍ୱର ସହ ନେଇଛି ଭାରତ । ଏହି ଆକ୍ରମଣ ଘଟଣାକୁ ଭାରତ ପକ୍ଷରୁ ଜାତିସଂଘର ଦୃଷ୍ଟି ଆକର୍ଷଣ କରାଯାଇଛି । ଆତଙ୍କବାଦୀମାନେ ଡ୍ରୋନ ଦ୍ୱାରା ଅସ୍ତ୍ରଶସ୍ତ୍ର ଚାଲାଣ କରିବା ସହ ବିସ୍ଫୋରଣ କରିବାକୁ ସକ୍ଷମ ହେଉଥିବାରୁ ଏହା ଚିନ୍ତାର ବିଷୟ । ଏହା ଉପରେ ଆମ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡ଼ିବ ବୋଲି ଭାରତ ପକ୍ଷରୁ ଜାତିସଂଘର ସଦସ୍ୟମାନଙ୍କୁ କୁହାଯାଇଛି । ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭିଏସ୍‌କେ କୌମୁଦି କହିଛନ୍ତି ଯେ ବର୍ତ୍ତମାନ ସମୟରେ ସୂଚନା ଓ ଯୋଗାଯୋଗ ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି । ଇଣ୍ଟରନେଟ୍‌ ଓ ସୋସିଆଲ ମିଡିଆ ଆତଙ୍କବାଦୀଙ୍କ ପ୍ରଚାର ପାଇଁ ବ୍ୟବହାର ହେଉଛି । ଏହି ମାଧ୍ୟମରେ ଲୋକଙ୍କୁ ମୌଳବାଦୀ ଚିନ୍ତାଧାରକୁ ଗ୍ରହଣ କରିବାକୁ କୁହାଯାଉଛି ଓ କ୍ୟାଡର ନିଯୁକ୍ତି କରାଯାଉଛି । ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଙଋି ଯୋଗାଡ଼ କରିବାକୁ ନୂଆ ନୂଆ ଉପାୟ ଅବଲମ୍ବନ କରାଯିବା ସହ କ୍ରାଉଡ୍‌ଫଣ୍ଡିଂର ବ୍ୟବହାର କରାଯାଉଛି ।

ଆତଙ୍କବାଦୀମାନେ ନୂଆ ଟେକ୍ନୋଲଜିର ଅପବ୍ୟବହାର କରି ନିଜର ଲକ୍ଷ୍ୟ ସାଧନ କରିବାକୁ ଚେଷ୍ଟା କରିବାକୁ ଉଦ୍ୟମ କରୁଥିବାରୁ ଆମ ସମସ୍ତଙ୍କ ଆଗରେ ନୂଆ ଚିନ୍ତା ସୃଷ୍ଟି ହୋଇଛି । ଏହାକୁ କାଉଣ୍ଟର କରିବାକୁ ଆମକୁ ନିଷ୍ପତ୍ତି ନେବାକୁ ପଡ଼ିବ । ଅତି ସହଜରେ ଓ ଅଳ୍ପ ଦାମ୍‌ରେ ଡ୍ରୋନ ମିଳିଯାଉଥିବାରୁ ଆତଙ୍କବାଦୀମାନେ ଏହାକୁ ବ୍ୟବହାର କରିବା ଆରମ୍ଭ କରିବାରେ ଲାଗିଛନ୍ତି । ସେମାନେ ତଥ୍ୟ ସଂଗ୍ରହଠାରୁ ଆରମ୍ଭ କରି ଆତଙ୍କୀ ଆକ୍ରମଣ କରିବାରେ ଏହାକୁ ବ୍ୟବହାର କରୁଛନ୍ତି । ଏହା ଏବେ ବିଶ୍ୱର ସମସ୍ତ ସୁରକ୍ଷା ଏଜେନ୍ସିଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେଣୁ ଆମ ସମସ୍ତଙ୍କୁ ଏହା ବିରୋଧରେ ଏକାଠି ହୋଇ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.