fbpx

ସିବିଏସଇ ଦ୍ୱାଦଶରେ ଟପ୍ପର ଓଡ଼ିଆ ଝିଅ ଅମ୍ରିତା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଓଡ଼ିଆ ଝିଅଙ୍କ କୃତିତ୍ୱ । ମୋଟ ୫୦୦ ମାର୍କକୁ ୪୯୯ ମାର୍କ ରଖି ଟପ୍ କରିଛନ୍ତି ଓଡ଼ିଆ ଝିଅ ଅମ୍ରିତା ବେହୁରା । ସେ ସମସ୍ତ ବିଷୟରେ A-1 ଗ୍ରେଡ୍ ରଖି ପାସ୍ କରିଛନ୍ତି । ଅମ୍ରିତାଙ୍କ ପିତା ହେଉଛନ୍ତି ଅମିୟ କୁମାର ଏବଂ ମାଆ ହେଉଛନ୍ତି ମୀତା ରାଣୀ । ସେମାନେ ନୋଏଡାରେ ରହୁଥିବା ବେଳେ ଝିଅ ନୋଏଡ ସେକ୍ୱର ୨୭ ସ୍ଥିତ କ୍ରେମ୍ୱ୍ରିଜ୍ ସ୍କୁଲରେ ପାଠ ପଢ଼ନ୍ତି । ପିତା ଅମିତ ଆଇଓସିଏଲ୍‌ରେ ଜେନେରାଲ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ମାଆ ନବୋଦୟ ବିଦ୍ୟାଳୟ ସମିତିର ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରନ୍ତି । ତେବେ ଅମ୍ରିତ ଆଗକୁ ଜଣେ ଅର୍ଥନୀତିଜ୍ଞ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏଣୁ ସେ ଅର୍ଥନୀତି ସମ୍ମାନ ସହ ନିଜ ଉଚ୍ଚତର ଶିକ୍ଷା ଶ୍ରୀରାମ ବାଣିଜ୍ୟ ମହାବିଦ୍ୟାଳୟରେ ପୂରା କରିବାକୁ ଯୋଜନା କରିଛନ୍ତି ।

ଅମ୍ରିତା ପ୍ରାରମ୍ଭରୁ ହିଁ ପାଠପଢାରେ ବେଶ ଧୂରୀଣ । ଏହା ପୂର୍ବରୁ ଅମ୍ରିତା ଦଶମ ଶ୍ରେଣୀରେ ମଧ୍ୟ ୯୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ । ପାଠପଢା ବ୍ୟତିତ ସେ ସମାଜ ସେବା ଓ ଶାସ୍ତ୍ରୀୟ ନୃତ୍ୟରେ ମଧ୍ୟ ରୁଚି ରଖନ୍ତି । ଏକାଧିକ ମଞ୍ଚରେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛନ୍ତି ଅମ୍ରିତା । ସେ ପଢ଼ୁଥିବା ସ୍କୁଲରେ ବାୟାନ ନାମକ କ୍ଳବ୍ ଗଠନ କରିଛନ୍ତି । ଆଉ ଏହି କ୍ଳବ୍‌ର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ କରୋନା ରୋଗୀଙ୍କୁ ସାହାଯ୍ୟ କରିଥାନ୍ତି । ତେବେ ଅମ୍ରିତାଙ୍କ ପିତା ମାତା କେନ୍ଦ୍ରାପଡ଼ା ଜିଲ୍ଲା ବରୁଣାର ମୂଳ ବାସିନ୍ଦା । ତେବେ ଅମ୍ରିତା ଓଡ଼ିଶା ବାହାରେ ରହୁଥିଲେ ମଧ୍ୟ ଜଣେ ଓଡ଼ିଆ ଭାବେ ସେ ବେଶ ଗର୍ବିତ । ତାଙ୍କ ପିତା ମାତା ଓଡ଼ିଶା ସୋସିଆଲ ଆଣ୍ଡ କଲଚର ଆସୋସିଏସନ୍‌ର ସକ୍ରିୟ ସଦସ୍ୟ ରହିଥିବା ବେଳେ ଓଡ଼ିଶାର କଳା ସଂସ୍କୃତି ପ୍ରଚାର ପ୍ରସାର ଦିଗରେ ସର୍ବଦା ତତ୍ପରତାର ସହ କାର୍ଯ୍ୟ କରିଆସୁଛନ୍ତି ।

Get real time updates directly on you device, subscribe now.