fbpx

ମଦର ଡେୟରୀ ପରେ ମହଙ୍ଗା ହେବ Amul କ୍ଷୀର! କମ୍ପାନୀ ତରଫରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଖାଲି ମହଙ୍ଗା ପରେ ମହଙ୍ଗା ମାଡ଼ । ତେବେ ଏହା ମଧ୍ୟରେ କ୍ଷୀର ଦର ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ଗତ ୨୦ ତାରିଖରେ ମଦର ଡେୟରୀ କମ୍ପାନୀ ପକ୍ଷରୁ କ୍ଷୀର ଦର ବୃଦ୍ଧି କରାଯାଇଥିଲା । ଏହା ପରେ ଗତ ୨୪ ତାରିଖରେ କର୍ଣ୍ଣାଟକ ଦୁଗ୍ଧ ସଂଘ (କେଏମଏଫ) ପକ୍ଷରୁ ନନ୍ଦିନୀ ବ୍ରାଣ୍ଡର କ୍ଷୀର ଓ ଦହି ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରାଯାଇଥିଲା ।

ତେବେ ବିଭିନ୍ନ କମ୍ପାନୀ ପକ୍ଷରୁ କ୍ଷୀର ଦାମ୍ ବଢ଼ିବା ପରେ ଅମୂଲ କମ୍ପାନୀ ମଧ୍ୟ ଦାମ୍ ବୃଦ୍ଧି କରିପାରେ ବୋଲି ଅନୁମାନ କରାଯାଉଥିଲା । ଏଭଳି ସ୍ଥିତିରେ କମ୍ପାନୀର ଏମଡି ଆର.ଏସ ସୋଧି ଏକ ବଡ଼ ବୟାନ ଦେଇଛନ୍ତି । ଗୁଜରାଟ କୋ-ଅପରେଟିଭ୍ ମିଲକ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ)ର ଏମଡି ଶ୍ରୀ ସୋଧି କହିଛନ୍ତି, କମ୍ପାନୀ ନିଜ କ୍ଷୀର ମୂଲ୍ୟ ବୃଦ୍ଧି ନେଇ କୌଣସି ଯୋଜନା କରିନାହିଁ ।

ଜିସିଏମଏମଏଫ ଅମୂଲ ବ୍ରାଣ୍ଡର ପରିଚାଳନ କରିଥାଏ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଅମୂଲ କ୍ଷୀରର ମୂଲ୍ୟ ତିନି ଥର ବୃଦ୍ଧି କରାଯାଇ ସାରିଲାଣି । ତେଣେ ପୁଣି ଥରେ କ୍ଷୀର ଦାମ୍ ବଢ଼ିବା ନେଇ ଗ୍ରାହକମାନେ ଆଶଙ୍କା ମଧ୍ୟରେ ରହିଥିବା ବେଳେ ଏଭଳି ସ୍ଥିତିରେ କମ୍ପାନୀ ତରଫରୁ ଆଶ୍ୱିସ୍ତିକର ତଥ୍ୟ ଆସିଛି । ଅମୂଲ କ୍ଷୀର ଗୁଜରାଟ ବ୍ୟତୀତ ଦିଲ୍ଲୀ-ଏନସିଆର, ପଶ୍ଚିମବଙ୍ଗ ଓ ମୁମ୍ବାଇର କିଛି ବଜାରକୁ ସପ୍ଲାଇ ହୋଇଥାଏ । କମ୍ପାନୀ ଗୋଟିଏ ଦିନରେ ୧୫୦ ଲକ୍ଷ ଲିଟର କ୍ଷୀର ବିକ୍ରି କରିଥାଏ । କେବଳ ଦିଲ୍ଲୀ-ଏନସିଆରରେ ପାଖାପାଖି ୪୦ ଲକ୍ଷ ଲିଟର ବିକ୍ରି ହୋଇଥାଏ । ଗତ ଅକ୍ଟୋବର ମାସରେ କମ୍ପାନୀ ଶେଷଥର ପାଇଁ ନିଜର କ୍ଷୀର ମୂଲ୍ୟ ବଢ଼ାଇଥିଲା ।

Get real time updates directly on you device, subscribe now.