fbpx

ରାଜଧାନୀରେ ପ୍ରାକ୍ ମୌସୁମୀ! ଶୀତଳ ସ୍ପର୍ଶ ଓ ନିଆରା ଦୃଶ୍ୟ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପରେ ଗୋଟିଏ ସଂକଟ ଦେଇ ଗତି କରୁଛି ଦେଶ । ଆମ ରାଜ୍ୟ ମଧ୍ୟ ବିପତ୍ତି ମଧ୍ୟରେ ପରିସ୍ଥିତିକୁ ମୁକାବିଲା କରି ଅହରହ ଲଢ଼େଇ ଜାରି ରଖିଛି । ମହାମାରୀ କରୋନା ଆତଙ୍କ ପରେ ବ୍ଲାକ୍ ଫଙ୍ଗସର ଭୟ । ତାହାରି ଭିତରେ ଅସହ୍ୟ ତାତିରେ କଲବଲ ହେଉଥିବାବେଳେ ଓଡ଼ିଶାରେ ମାଡ଼ ହେଲା ଅତି ଭୀଷଣ ବାତ୍ୟା ୟଶ୍ । ଖାଲି ସେତିକି ନୁହେଁ, ଗତ ପ୍ରାୟ ସପ୍ତାହେ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଲୋକେ ଛଟପଟ ହୋଇଗଲେଣି । ଏସବୁକୁ ସାମ୍ନା କରିବା ଭିତରେ ସ୍ୱାଭାବିକ୍ ଭାବେ ମୌସୁମୀ ବିଳମ୍ବରେ ଆସିବ ବୋଲି ଆକଳନ କରାଯାଇଛି । କେରଳକୁ ୩ ତାରିଖ ମୌସୁମୀ ଛୁଇଁବ ବୋଲି କୁହାଯାଇଥିବା ବେଳେ ଓଡ଼ିଶାରେ କେବେ ପହଞ୍ଚିବା କିଛି ନିର୍ଦ୍ଦିଷ୍ଟ ଆକଳନ ହୋଇପାରିନି ।

Pre Monsoon scene in Capital city of Odisha Bhubaneswar #OdishaBhaskar

କିନ୍ତୁ ବୁଧବାର ମଧ୍ୟାହ୍ଣ ବେଳକୁ ହଠାତ୍ ରାଜଧାନୀ ଆକାଶ ବଦଳି ଯାଇଥିଲା । ପ୍ରଚଣ୍ଡ ସୂର୍ଯ୍ୟ ତେଜକୁ ଘୋଡ଼ାଇ ଦେଇଥିଲା ଖଣ୍ଡ ଖଣ୍ଡ ବାଦଲ । ଆକାଶ ଘନନୀଳରୁ ଘନେଇ ହେଉଥିଲା ଗାଢ଼ ନୀଳ ରଙ୍ଗ ଆଡ଼କୁ । ଠାଏଁ ଠାଏଁ ଦୃଶ୍ୟମାନ ହେଉଥିଲା କଳାବାଦଲ । ସୁଦୂରରୁ ଘୋଟି ଆସୁଥିଲା ବର୍ଷା ହେବାର ସ୍ପଷ୍ଟ ସଂକେତ । ତାପମାତ୍ରା ଖସିବା ସହ ଗରମ ପବନ ଧୀରେଧୀରେ ଶୀତଳ ଛୁଆଁ ଦେଉଥିଲା । ଏଭଳି ଏକ ପୁଲକକୁ ନେଇ ଅନେକ ବିମୋହିତ ହୋଇପଡ଼ିଥିଲେ । ଆଉ ନିଜ ନିଜ ସାଧ୍ୟ ଅନୁସାରେ ପ୍ରକୃତିର ଦୃଶ୍ୟକୁ ତୋଳି ଧରିବା ପାଇଁ ଚେଷ୍ଟା କରିଥିଲେ । ଅନେକଙ୍କ କହିବା ହେଲା ମୌସୁମୀ ପହଞ୍ଚିବା ପୂର୍ବରୁ ସଂକେତ ଇଏ । ଅର୍ଥାତ୍ ପ୍ରାକ୍ ମୌସୁମୀର ସ୍ପର୍ଶ!

Pre Monsoon scene in Capital city of Odisha Bhubaneswar #OdishaBhaskar

ସୂଚନା ଅନୁସାରେ ବୁଧବାର ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅନେକ ସ୍ଥାନରେ ସକାଳୁ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା । କେଉଁଠି କେଉଁଠି ଘଣ୍ଟାଏ ଧରି ମଧ୍ୟ ବର୍ଷା ହୋଇଥିବା ଜଣାପଡ଼ିଛି । ଏହାର ଛିଟା କଟକ ଆଉ ଯାଜପୁର ଜିଲ୍ଲାରେ ପଡ଼ିଥିବାବେଳେ ରାଜଧାନୀରେ ସକାଳୁ ଆକାଶ ପ୍ରାୟତଃ ଶୁଖିଲା ରହିଥିଲା । କିନ୍ତୁ ମଧ୍ୟାହ୍ଣ ପରଠାରୁ ଦକ୍ଷିଣ-ପଶ୍ଚିମୀ ଆକାଶ ପଟୁ ଅନ୍ଧାର ଧୀରେ ଧୀରେ ଘନୀଭୂତ ହେବାବେଳେ ରାଜଧାନୀର ସୌନ୍ଦର୍ଯ୍ୟ ଅପରୂପ ଦେଖାଯାଉଥିଲା । ସତେ ଯେମିତି ଆଉକିଛି ସମୟ ଭିତରେ ଖୁବ୍ ବର୍ଷିବ… ତେବେ ସେ ପ୍ରାକ୍ ମୌସୁମୀ ହେଉକି ପ୍ରକୃତିର ଅନ୍ୟ କିଛି ରୂପ… ଏସବୁ ଯେ ଦୁଃଖ ସଂକଟରେ ପଡ଼ିଥିବା ଲୋକଙ୍କୁ ବି କ୍ଷଣକରେ ଆନମନା କରିଦିଏ, ତାହା ଅନୁଭବୀ ହିଁ ଜାଣିପାରିବେ ।

ଅନ୍ୟପକ୍ଷରେ ରିପୋର୍ଟ ପ୍ରସ୍ତୁତ ହେବାବେଳକୁ କଟକରେ ଖୁବ୍ ବର୍ଷା ଆରମ୍ଭ ହୋଇଯାଇଥିବା ଖବର ମିଳିଛି । କଟକରେ ଅପରାହ୍ଣ ୩ଟା ବେଳଠାରୁ କ୍ରମାଗତ ବର୍ଷା ହେଉଥିବା ଜଣାପଡ଼ିଛି ।

Rain in Cuttack #OdishaBhaskar
କଟକ ଏସସିବି ମେଡିକାଲ୍ ଅଞ୍ଚଳର ଏକ ଦୃଶ୍ୟ (ଫଟୋ: ଅନୁପମା ପଣ୍ଡା, ସ୍ୱାସ୍ଥ୍ୟସେବା କର୍ମୀ)

Get real time updates directly on you device, subscribe now.