(Video) ‘ମୋ ମାଆ ବାଲିଯାତ୍ରାକୁ ବହୁତ ଭଲ ପାଆନ୍ତି’, ଅସୁସ୍ଥ ମାଆଙ୍କୁ ଯାତ୍ରା ବୁଲାଇଲେ ଏହି ବ୍ୟକ୍ତି

କଟକ: ଐତିହାସିକ ବାଲିଯାତ୍ରା ପର୍ବ ଜାରି ରହିଛି । ହଜାର ହଜାର ଲୋକେ ଏହି ବାଲିଯାତ୍ରାକୁ ବୁଲିବାକୁ ଆସୁଛନ୍ତି । ହେଲେ ଏହାରି ମଧ୍ୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଚାଲିପାରୁନଥିବା ମାଆଙ୍କୁ ହ୍ୱିଲ ଚେୟାରରେ ବାଲିଯାତ୍ରା ବୁଲାଇବାକୁ ଆଣିଛନ୍ତି ଏହି ବ୍ୟକ୍ତି । କଳିଯୁଗରେ ମଣିଷ ପଣିଆ ହଜିଯାଇଥିବା ବେଳେ ଏଭଳି ବିରଳ ଦୃଶ୍ୟ ବେଶ ମନକୁ ଛୁଇଁଛି ।

ବ୍ୟକ୍ତିଙ୍କ ଏହି ମାନବିକତାକୁ ଦେଖି ତାଙ୍କ ସହ ବାର୍ତ୍ତାଳାପ କରାଯାଇଥିଲା । ଏହି ସମୟରେ ସେ କହିଥିଲେ ଯେ, ମାଆ ମୋର ବାଲିଯାତ୍ରାକୁ ବହୁତ ଭଲପାଆନ୍ତି ଏବଂ ତାଙ୍କର ଦେହ ଖରାପ ହୋଇଗଲା, ଇଚ୍ଛା ଥିଲା ଦେଖିବାକୁ, ସେଥିପାଇଁ ଆମେ ସପରିବାର ସହ ବୁଲିବାକୁ ଆସିଛୁ । ଏହି ବ୍ୟକ୍ତିଙ୍କ ଘର କଟକର ହରିପୁର । ତେବେ ଏହି ଦୃଶ୍ୟ ଯୁବପିଢିମାନଙ୍କୁ କିଛି ଶିକ୍ଷା ଦେଉଛି । ଏତେ ଗହଳି-ଭିଡକୁ ଖାତିର ନ କରି ସେ ନିଜ ମାଆଙ୍କୁ ହ୍ୱିଲଚେୟାରରେ ବୁଲାଇବାକୁ ଆଣିଛନ୍ତି । ଏହି ବ୍ୟକ୍ତିଙ୍କ ପ୍ରଶଂସା ଯେତେ କଲେ ସୁଧା କମ ପଡିବ ।

ବର୍ତ୍ତମାନ ଆଧୁନିକ ଯୁଗରେ ଉଦ୍ଧତ-ଉଧାମ ସୃଷ୍ଟି କରୁଥିବା ଏବଂ ପାଶ୍ଚାତ୍ୟ ସଭ୍ୟତାକୁ ଅନୁସରଣ କରି ଘରେ ଅନର୍ଥ କରୁଛନ୍ତି ଲୋକେ । ହେଲେ ଏଭଳି ବ୍ୟକ୍ତିତ୍ୱର ବ୍ୟକ୍ତିଙ୍କୁ ଦେଖି ଶ୍ରବଣ କୁମାରଙ୍କ କଥା ମନେପଡିଯାଉଛି । କଳିଯୁଗରେ ବି ଏଭଳି ବ୍ୟକ୍ତିଙ୍କ ପ୍ରତିଛବି ଦେଖିବାକୁ ମିଳୁଛି । ସେ ମାଆର ମମତାକୁ ବୁଝି ନିଜର କର୍ତ୍ତବ୍ୟ ନିଭାଉଛନ୍ତି । ମାଆ ସବୁବେଳେ ମାଆ ହୋଇଥାଏ, ବୟସ ହୋଇଯାଇଛି ବୋଲି ସେ ସ୍ଥିର ପଡିଯାଇଛି, ହେଲେ ଛୋଟରୁ ବଡ଼ କରିଛି ତ ସେହି ମାଆ । ଏହି ଉକ୍ତିକୁ ଠିକ୍ ବୁଝିପାରିଛନ୍ତି ଏହି ବ୍ୟକ୍ତି ।