“ମୁଁ ରାଜା ରଘୁବଂଶୀର ସାଙ୍ଗ” ପୋଲିସ ପୋଷାକରେ ରାଜାଙ୍କ ଘରେ ପହଞ୍ଚିଲେ ଅଜଣା ବ୍ୟକ୍ତି, ଆଉ ତାପରେ…

ଇନ୍ଦୋର: ପୁଣି ଚର୍ଚ୍ଚାରେ ଇନ୍ଦୋରର ରାଜା ରଘୁବଂଶୀ। ହେଲେ ତାଙ୍କ ହତ୍ୟା ପାଇଁ ନୁହେଁ ବରଂ ତାଙ୍କ ଘରେ ଜଣେ ଅଜଣା ଯୁବକଙ୍କୁ ନେଇ।  ହଁ ଆଜ୍ଞା ଇନ୍ଦୋରର ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଏବେ ବି ଚାଲିଛି।

ଆଉ ଏତିକିବେଳେ ଏହି ମାମଲାରେ କିଛି ଅଜବ ଘଟଣା ଦେକିବାକୁ ମିଳିଛି। ପ୍ରକୃତରେ ଜଣେ ବ୍ୟକ୍ତି ହଠାତ୍ ଇନ୍ଦୋରରେ ରାଜା ରଘୁବଂଶୀଙ୍କ ଘରେ ପହଞ୍ଚିଲେ। ଆଉ ସେ ପୋଲିସ ପୋଷାକ ପିନ୍ଧିଥିଲେ। କେବଳ ସେତିକି ନୁହେଁ ଯୁବକ ଜଣଙ୍କ ରାଜାଙ୍କ ପରିବାରକୁ ପୋଲିସ ପରି ପଚରାଉଚରା କରିବା ଆରମ୍ଭ କଲେ।

ଯେହେତୁ ଯୁବକ ଜଣକ ଏକା ଥିଲେ ତେଣୁ ରାଜାଙ୍କ ପରିବାର ଲୋକଙ୍କର ତାଙ୍କ ଉପରେ ସନ୍ଦେହ ହେଲା। ଏବଂ ସେମାନେ ପୋଲିସ ଷ୍ଟେସନକୁ ଯାଇ ରିପୋର୍ଟ କଲେ। ଆଉ ତାପରେ ଯେଉଁ ସତ ସାମ୍ନାକୁ ଆସିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା।

ରିପୋର୍ଟ ପରେ ସତ ସାମ୍ନାକୁ ଆସିଲା: ଯେତେବେଳେ ରାଜାଙ୍କ ପରିବାର ଲୋକ ଥାନାରେ ରିପୋର୍ଟ କଲେ ସେତେବେଳେ ଜଣାପଡିଲା କି ସେହି ବ୍ୟକ୍ତି ଜଣକ RPFର ଜଣେ ହେଡ୍ କନଷ୍ଟେବଳ। ଯାହାକୁ ବହିଷ୍କାର କରାଯାଇଛି।

କିନ୍ତୁ ଚିନ୍ତାର ବିଷୟ ଏହା କି ଉକ୍ତ ବ୍ୟକ୍ତି ଜଣକ ନିଜ ଚାକିରି ହରାଇବା ପରେ ମଧ୍ୟ ରାଜାଙ୍କ ଘରକୁ ଯାଇ କାହିଁକି ପଚରା ଉଚରା କରୁଥିଲେ। ଏହା ପଛରେ ତାଙ୍କର ଅନ୍ୟ କିଛି ଉଦ୍ଦେଶ୍ୟ ନଥିଲା ତ? ଯାହାର ଏବେ ତଦନ୍ତ ଚାଲିଛି।

ରାଜାଙ୍କ ଭାଇ କ’ଣ କହିଲେ: ରାଜା ରଘୁବଂଶୀଙ୍କ ଭାଇ ବିପିନ ରଘୁବଂଶୀ କହିଛନ୍ତି, ଜଣେ ପୋଲିସ ଆମ ଘରେ ପହଞ୍ଚି ବିଭିନ୍ନ ପ୍ରକାରର କଥାବାର୍ତ୍ତା କରିବାକୁ ଲାଗିଲେ, ଯାହା ଆମକୁ ସନ୍ଦେହ ହୋଇଥିଲା।

ଆମେ ରାଜେନ୍ଦ୍ର ନଗର ପୋଲିସକୁ ପୁରା ଘଟଣା ବିଷୟରେ ଅଭିଯୋଗ କରିଥିଲୁ। ରାଜେନ୍ଦ୍ର ନଗର ପୋଲିସ ଷ୍ଟେସନ ଇନଚାର୍ଜ ନୀରଜ ବୀରଥ୍ରେ କହିଛନ୍ତି ବହିଷ୍କୃତ ପୋଲିସର ନାମ ଭଜନଲାଲ।

ସେ ମୂଳତଃ ରାଜସ୍ଥାନର ଏବଂ RPFରେ ହେଡ୍ କନଷ୍ଟେବଲ୍ ଭାବରେ ନିଯୁକ୍ତ ଥିଲେ। କିନ୍ତୁ ତାଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିବାରୁ RPF ଅଧିକାରୀମାନେ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ।

ଆରପିଏଫରୁ ବହିଷ୍କାର ହେବା ପରେ ସେ ଡିପ୍ରେସନକୁ ଚାଲିଗଲେ। ସେବେଠାରୁ ସେ ଆରପିଏଫ ଷ୍ଟେସନ ଇନଚାର୍ଜଙ୍କ ପୋଷାକ ପିନ୍ଧି ବୁଲୁଛନ୍ତି। ବର୍ତ୍ତମାନ ଆରପିଏଫ ଅଧିକାରୀମାନଙ୍କୁ ପୁରା ଘଟଣା ବିଷୟରେ ଅବଗତ କରାଯାଇଛି। ପୋଲିସ କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି ଏବଂ ପୁରା ଘଟଣାର ତଦନ୍ତ କରାଯାଉଛି।

‘ମୁଁ ରାଜାଙ୍କର ବନ୍ଧୁ ଥିଲି’: ପଚରାଉଚରା ସମୟରେ RPF ରୁ ବହିଷ୍କୃତ ହେଡ୍ କନଷ୍ଟେବଳ ଭଜନଲାଲ କହିଥିଲେ- ମୁଁ ରାଜା ରଘୁବଂଶୀଙ୍କର ବନ୍ଧୁ ଥିଲି। ମୁଁ ପୂର୍ବରୁ ଅନେକ ଥର ରାଜା ରଘୁବଂଶୀଙ୍କୁ ଭେଟିଛି ମଧ୍ୟ।

କିନ୍ତୁ ଯେତେବେଳେ ରାଜା ରଘୁବଂଶୀଙ୍କୁ ହତ୍ୟା କରାଯାଇଥିଲା, କିଛି କାରଣରୁ ମୁଁ ମୋର ଶୋକ ପ୍ରକାଶ କରିବା ପାଇଁ ତାଙ୍କ ଘରେ ପହଞ୍ଚି ପାରି ନଥିଲି।

ଆଜି ଉଜ୍ଜୟିନୀ ଗସ୍ତ କରିବା ପରେ ମୁଁ ରାଜା ରଘୁବଂଶୀଙ୍କ ଘରେ ପହଞ୍ଚିଥିଲି। ମୁଁ କେବଳ ରାଜାଙ୍କ ପରିବାରକୁ ମୋର ଶୋକ ପ୍ରକାଶ କରିବାକୁ ଆସିଥିଲି।

ପୋଲିସ ପଚରାଉଚରା କରୁଛି: ରାଜା ରଘୁବଂଶୀଙ୍କ ପରିବାର ସଦସ୍ୟ ତାଙ୍କୁ ସନ୍ଦେହ କରିଥିଲେ, ଯାହା ଫଳରେ ପୋଲିସରେ ଅଭିଯୋଗ କରାଯାଇଥିଲା।

ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ସମ୍ପୂର୍ଣ୍ଣ ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ କହିଛି – ଆମେ ତାଙ୍କୁ ପଚରାଉଚରା କରୁଛୁ ଯେ ସେ ପ୍ରକୃତରେ ରାଜାଙ୍କ ସାଙ୍ଗ ନା ଅନ୍ୟ କୌଣସି ଉଦ୍ଦେଶ୍ୟ ନେଇ ରାଜାଙ୍କ ଘରକୁ ଆସିଥିଲେ।