fbpx

ଅଣସର ପିଣ୍ଡିରେ ଚକାବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଏକାଦଶୀରେ ମହୌଷଧୀ ଦଶମୂଳ ମୋଦକ ଖାଇ ସୁସ୍ଥ ହେବେ ମହାପ୍ରଭୁ

ପୁରୀ, (ଭାସ୍କର ନ୍ୟୁଜ୍‌) : ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ୧୦୮ ସୁବାସିତ ଗରା ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିଛନ୍ତି । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଜ୍ୱର ଉପଶମ ପାଇଁ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଚାଲିଥିବା ଓଷଲାଗି ନୀତି ସମ୍ପନ୍ନ ହୋଇଥିବାବେଳେ ଗୁରୁବାର ଦଶମୀରେ ଚକାବିଜେ ନୀତି ସମ୍ପନ୍ନ ହୋଇଛି । ଏକାଦଶୀରେ ଦଶମୂଳ ମୋଦକ, ଖଡ଼୍ରିସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗ ଘଣାଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ ।

ଗୁପ୍ତ ସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଚକଟା ଓ ପଣା ଭୋଗ ଲାଗି କରାଯାଉଛି । କ୍ଷୀର, ଛେନା, ସର ଓ ଖୁଆରେ ବିଭିନ୍ନ ଫଳମୂଳ ମିଶାଯାଇ ଚକଟା ଭୋଗ ପ୍ରସ୍ତୁତ କରାଯାଉଛି । ଦଇତା ପତି ସେବାୟତ ପ୍ରସାଦକୁ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।

ଅନ୍ୟପକ୍ଷରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଆଉ ମାତ୍ର ୭ଦିନ ବାକି ରହିଥିବାବେଳେ ଶ୍ରୀନହର ସମ୍ମୁଖସ୍ଥ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପୂର୍ବରୁ ଚାରି ନାହାକା ଓ ଚଉଦ ନାହାକା ଯୋଖା ସରିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ ଭୂଇଁ ଓ ପୋଟଳ, ପାରା ଭାଡ଼ି କାମ ମଧ୍ୟ ଶେଷ ହାଇଛି । ଏବେ ୩ ରଥରେ ପଟାବାଡ଼ିଆ କାମ ଜାରି ରହିଥିବାବେଳେ ଦୁଆରବେଢ଼ା, ପ୍ରଭା, ଜଗତପୃଷ୍ଟ ଛେଣୀ କାମ କରାଯାଉଛି । ଚିତ୍ରକର ସେବକ କଣଗୁଜ ସମେତ ପାଶ୍ୱର୍ ଦେବାଦେବୀଙ୍କ ଠାେରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

Get real time updates directly on you device, subscribe now.