fbpx

ଆଦିବାସୀ ଯୁବକଙ୍କୁ ମାଡ ମାରି ତାଙ୍କ ଉପରେ ପରିସ୍ରା କଲେ ୮ଯୁବକ, ପ୍ରେମ ବ୍ୟାପାରକୁ ନେଇ ଘଟିଛି ଏପରି କାଣ୍ଡ

ଅମରାବତୀ: ମଧ୍ୟପ୍ରଦେଶ ପରେ ଏବେ ପୁଣି ଆନ୍ଧ୍ରପ୍ରଦେଶରେ ପରିସ୍ରା କାଣ୍ଡର ପୁନରାବୃତ୍ତି ଘଟିଛି । ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲା ଓଙ୍ଗୋଲରେ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ବନ୍ଧକୁ ନେଇ ଜଣେ ଆଦିବାସୀ ଯୁବକଙ୍କ ସହ ହୋଇଥିବା ଝଗଡା ସମୟରେ ତାଙ୍କ ଉପରେ ପରିସ୍ରା କରିବା ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣା ବୁଧବାର ଘଟିଛି । ପୋଲିସର ସୂଚନା ଅନୁଯାୟୀ ପୀଡିତ ମୋଟା ନବୀନଙ୍କୁ ମନ୍ନମ ରାମଞ୍ଜନେୟୁଲୁ ଓ ଅନ୍ୟ ୮ଜଣ ବ୍ୟକ୍ତି ମାଡ ମାରିବା ସହ ତାଙ୍କ ଉପରେ ପରିସ୍ରା କରିଥିଲେ । ଏମାନଙ୍କ ମଧ୍ୟରେ ୨ ଅଭିଯୁକ୍ତ କିଶୋର ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ରାମଞ୍ଜନେୟୁଲ ଫେରାର ହୋଇଯାଇଛି ।

ପୋଲିସ କହିଛି ରାମଞ୍ଜନେୟୁଲ ଓ ନବୀନ ପ୍ରଥମେ ଦୁଇ ବନ୍ଧୁ ଥିଲେ । କିନ୍ତୁ ରାମଞ୍ଜନେୟୁଲର ଜଣେ ବନ୍ଧୁଙ୍କ ଜଣାଶୁଣା ଏକ ଯୁବତୀ ସହିତ ନବୀନଙ୍କ ସଂପର୍କ କାରଣରୁ ଦୁଇ ମିତ୍ରଙ୍କ ମଧ୍ୟରେ ଝଗଡା ହୋଇଥିଲା । ପୋଲିସ କହିଛି ନବୀନ ସେହି ଯୁବତୀଙ୍କ ସହିତ ଫେରାର ହୋଇଯିବା ପରେ ତା ବିରୁଦ୍ଧରେ ଯୌନ ଅପରାଧ ସମ୍ବନ୍ଧିତ ଅଧିନିୟମ ଜରିଆରେ ମାମଲା ରୁଜୁ କରାଯିବା ସହିତ ତାକୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା ।
ଏହା ସତ୍ତେ୍ୱ ନବୀନ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଅତୁଟ ରହିଥିଲା । ଏହାକୁ ନେଇ ରାମଞ୍ଜନେୟୁଲ ଓ ତାର ସାଙ୍ଗମାନେ ନବୀନ ଉପରେ ନାରାଜ ଥିଲେ । ଏହାପରେ ସେମାନେ ନବୀନଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରି ଦେଇଥିଲେ । ପୋଲିସ କହିଛି କିଛି ଦିନ ଯିବା ପରେ ରାମଞ୍ଜନେୟୁଲ ଯୋଜନା କରି ନବୀନକୁ କଥାବର୍ତ୍ତା ହେବା ପାଇଁ ଡାକିଥିଲା । ଏହାପରେ ସମସ୍ତେ ଏକାଠି ବସି ମଦ୍ୟପାନ କରିଥିଲେ । ଏହି ସମୟରେ ରାମଞ୍ଜନେୟୁଲର ସାଙ୍ଗମାନେ ନବୀନକୁ ଆକ୍ରମଣ କରିବା ସହ ତାଙ୍କ ଉପରେ ପରିସ୍ରା କରିଥିଲେ ।

ଏହି ଘଟଣା ପରେ ନବୀନ ପୋଲିସରେ ଅଭିଯୋଗ କରିଥିଲା ଓ ଚିକିତ୍ସିତ ହେବା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । କିନ୍ତୁ ସେ ଏହି ମାମଲାକୁ ଆଉ ଆଗକୁ ବଢାଇବାକୁ ଚାହିଁ ନ ଥିଲା କି ପରିସ୍ରା କାଣ୍ଡ ବିଷୟରେ କିଛି କହି ନ ଥିଲା । କିନ୍ତୁ ପୋଲିସ ଯେତେବେଳେ ଏହି ଘଟଣାର ଯାଞ୍ଚ କରିଥିଲା ସେତେବେଳେ ତାକୁ କିଛି ଭିଡିଓ ମିଳିଥିଲା ଯେଉଁଥିରେ କିଛି ଲୋକ ନବୀନ ଉପରେ ପରିସ୍ରା କରୁଥିବାର ଦେଖିବାକୁ ମିଳିଥିଲା ।
ମାମଲାର ଗମ୍ଭୀରତାକୁ ଦେଖି ପୋଲିସ ନିଜେ ମାମଲା ରୁଜୁ କରିଛି । ନବୀନ ଏକ ଆଦିବାସୀ ଯୁବକ ହୋଇଥିବାରୁ ଅନୁସୂଚୀତ ଜାତି ଓ ଜିଜାତି ଅତ୍ୟାଚାର ନିବାରଣ ଅଧିନିୟମ ଆଧାରରେ ମାମଲା ରୁଜୁ କରାଯାଇଛି । ନବୀନ ଓ ରାମଞ୍ଜନେୟୁଲ ଉଭୟଙ୍କର ଅପରାଧିକ ପୃଷ୍ଠଭୂମି ରହିଛି ଅର୍ଥାତ୍ ଉଭୟ ବହୁ ଅପରାଧରେ ସଂପୃୃକ୍ତ ରହିଛନ୍ତି ।

Get real time updates directly on you device, subscribe now.