ଅନିଲ ଅମ୍ବାନୀଙ୍କର ବଢିଲା ଅଡ଼ୁଆ, ରେଡ଼ ପରେ ସମନ୍ ଜାରି କଲା ED, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ
ଅନିଲ ଅମ୍ବାନୀଙ୍କୁ ଇଡ଼ିର ସମନ, ୧୭ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଚରାଉଚରା ଜାରି ।
ନୂଆଦିଲ୍ଲୀ: ଅଡ଼ୁଆରେ ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀ । ଅର୍ଥ ହେରଫେର ମାମଲାରେ ସମନ୍ ଜାରି କଲା ED । ତାଙ୍କୁ ଅଗଷ୍ଟ ୫ରେ ଦିଲ୍ଲୀସ୍ଥିତ ମୁଖ୍ୟାଳୟରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି ଇଡି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ୧୭,୦୦୦ କୋଟି ଟଙ୍କାର ଏକ ବଡ଼ ଧରଣର ଋଣ ଠକେଇ ମାମଲାରେ ପଚରାଉଚରା ପାଇଁ ସମନ ଜାରି କରିଛି ।
ଗତ ସପ୍ତାହରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ ମୁମ୍ବାଇରେ ରିଲାଏନ୍ସ ଗ୍ରୁପ ସହିତ ଜଡିତ ପ୍ରାୟ ୩୫ଟି ସ୍ଥାନରେ ଚଢଉ କରିଥିଲା ଇଡି। ପୂର୍ବରୁ SEBI ୧୦ ହଜାର କୋଟି ଟଙ୍କାର ମନି ଟ୍ରାନ୍ସଫର ସମ୍ପର୍କରେ ଇଡି ଏବଂ ଅନ୍ୟ ଦୁଇଟି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଏହାର ତଦନ୍ତ ରିପୋର୍ଟ ଦାଖଲ କରିଥିଲା।
ସେପଟେ ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ, ୟେସ୍ ବ୍ୟାଙ୍କରୁ ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣ ଠକେଇ ମଧ୍ୟ କରାଯାଇଛି ।
ଅଭିଯୋଗ ରହିଛି ଯେ ୨୦୧୭ରୁ ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କର ପ୍ରମୋଟରମାନଙ୍କୁ ଲାଞ୍ଚ ଦେଇ ଏହି ଋଣ ହାସଲ କରାଯାଇଥିଲା । ଏହା ବ୍ୟତୀତ, ରିଲାଏନ୍ସ କମ୍ୟୁନିକେସନ୍ସ ଲିମିଟେଡ୍ ଦ୍ୱାରା ପ୍ରାୟ ୧୪,୦୦୦ କୋଟି ଟଙ୍କାର ଆଉ ଏକ ଋଣ ଠକେଇ ଅଭିଯୋଗ ମଧ୍ୟ ତଦନ୍ତ ପରିସରଭୁକ୍ତ ରହିଛି ।