fbpx

ମହାରାଷ୍ଟ୍ର ସରକାରଙ୍କ ନୂତନ ମଦ ନୀତି ବିରୋଧରେ ଆମରଣ ଅନଶନ କରିବେ ନାହିଁ ଆନ୍ନା ହଜାରେ

ନୂଆଦିଲ୍ଲୀ ୧୩।୦୨: ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଫେବୃଆରୀ ୧୪ରେ ଅନିର୍ଦ୍ଦିଷ୍ଟକାଳ ଆମରଣ ଅନଶନକୁ ବର୍ତ୍ତମାନ ପାଇଁ ରୋକି ଦେଇଛନ୍ତି । ଆନ୍ନା ହଜାରେ ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାରଙ୍କ ନୂତନ ମଦ ନୀତିକୁ ନାପସନ୍ଦ କରିଛନ୍ତି । ଏହାରି ବିରୋଧରେ ସେ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ। ଆନ୍ନା ଘୋଷଣା କରିଥିଲେ ଯେ, ସୁପରମାର୍କେଟ୍ ଏବଂ ଓ୍ଵାକ ଇନ ଷ୍ଟୋର ଜରିଆରେ ମଦ ବିକ୍ରି କରିବା ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଫେବୃଆରୀ ୧୪ରୁ ଅନିର୍ଦ୍ଦିଷ୍ଟକାଳ ଆମରଣ ଅନଶନ ଆରମ୍ଭ କରିବେ ।

ରାଜ୍ୟ ସରକାର ତାଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ, ଏହି ନିର୍ଣ୍ଣୟ ଉପରେ ପରବର୍ତ୍ତୀ ପଦକ୍ଷେପ ନେବା ପୂର୍ବରୁ ସାଧାରଣ ଜନତାଙ୍କ ମତାମତ ଉପରେ ବିଚାର କରିବେ। ହଜାରେ ରାଜ୍ୟର ଅହମ୍ମଦନଗର ଜିଲ୍ଲାରେ ନିଜର ପୈତୃକ ଗାଁ ରାଲେଗଣ ସିଦ୍ଦିରେ ଏଲ ଗ୍ରାମସଭା ପରେ କହିଛନ୍ତି ଯେ, ସେ ସରକାରଙ୍କ ନିଷ୍ପତ୍ତି ବିଷୟରେ ଗାଁ ଲୋକଙ୍କୁ ଅବଗତ କରାଇ ଦେଇଛି। ଏନେଇ କଣ କରାଯାଇ ପାରିବ ଲୋକଙ୍କୁ ପ୍ରସ୍ତାବ ଦେଇଛି । ନିଜର ଆପତ୍ତି ଜଣାଇବାକୁ ମଧ୍ୟ ଜନତାଙ୍କୁ କୁହାଯାଇଛି। ଗାଁ ଲୋକ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ମତାମତ ପରେ ଅନ୍ତିମ ନିର୍ଣ୍ଣୟ ନିଆଯିବ। ଏଥିପାଇଁ ମୁଁ ଆମରଣ ଅନଶନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। ଆଲୋଚନା ସମୟରେ ହଜାରେ କହିଛନ୍ତି, ମଦ ଆମ ରାଜ୍ୟର ସଂସ୍କୃତି ନୁହେଁ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ସୁପରମାର୍କେଟ୍ ଏବଂ ଏହାର ନିକଟ ଦୋକାନରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି । ଏଥିପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି। ଠାକରେଙ୍କ ଏହି ନିଷ୍ପତ୍ତିକୁ ନେଇ ମହାରାଷ୍ଟ୍ରରେ ରାଜନୀତି ସରଗରମ ରହିଛି । ବିଜେପି ଏହି ନିଷ୍ପତ୍ତିର ଖୁବ୍ ସମାଲୋଚନା କରିଛି।

Get real time updates directly on you device, subscribe now.