fbpx
BSKY SKY
BSKY SKY

୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ! ପାଣିପାଗ ବିଭାଗର ସୂଚନା

BSKY

ଭୁବନେଶ୍ୱର: ନିକଟରେ ସାମୁଦ୍ରିକ ଝଡ ମିଗଜୋମ୍‌ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ତାଣ୍ଡବ ରଚିଥିଲା । ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ଲଘୁଚାପ ଆସୁଥିବା ନେଇ ଚେତାବନୀ ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆରବ ସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ମାଲଦୀପ ପାଖାପାଖି ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କିଛି ସ୍ଥାନରେ କାଳବୈଶାଖୀ ହେବା ନେଇ ବି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

IMDର ପୂର୍ବାନୁମାନ ଅନୁଯାୟୀ, ଆରବ ସାଗରରେ ଏକ ଚକ୍ରବାତ ବଳୟ ସୃଷ୍ଟି ହୋଇପାରେ । ପ୍ରଭାବରେ କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ଲକ୍ଷାଦୀପର କିଛି ସ୍ଥାନରେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ତେବେ ଲଘୁଚାପ କ୍ରମେ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ କୌଣସି ସୂଚନା ଦେଇଛି ପାଣିପାଗ ବିଭାଗ ।

ସାମୁଦ୍ରିକ ଝଡ଼ ମିଗ୍‍ଜୋମ୍‍ ଅପସରି ଯାଇଥିବାବେଳେ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧ ଦଶମିକ ୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆଜିଠାରୁ ରାଜ୍ୟରେ କୋହଲା ପାଗ ବଦଳିବା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ କୁହୁଡ଼ି ଦୃଶ୍ୟମାନ ହୋଇଛି ।

Get real time updates directly on you device, subscribe now.