ରାଜଧାନୀର ୨ ବଡ ହସ୍ପିଟାଲକୁ ବମ୍‌ରେ ଉଡାଇ ଦିଆଯିବ! ପୁଣି ମିଳିଲା ଧମକ ଭରା ଇ-ମେଲ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ପୁଣି ବମ୍ ଧମାକାବାଲା ଇମେଲ୍ ଆସିଛି । ଏଥର ଦୁଇ ବଡ ହସ୍ପିଟାଲକୁ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି । ଧମକ ମିଳିବା ପରେ ପୋଲିସ ପୁରା ସକ୍ରିୟ ହୋଇଉଠିଛି । ସର୍ଚ୍ଚ ଅଭିଯାନ ଜୋରଦାର କରିଦିଆଯାଇଛି । ଏକ ରିପୋର୍ଟ ଅନୁଯାୟୀ ବୁରାଡୀର ଏକ ସରକାରୀ ହସ୍ପିଟାଲ ଓ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲ ମଙ୍ଗୋଲପୁରୀକୁ ଏହି ଧମକ ମିଳିଛି ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ପୋଲିସ୍ ଛାନଭିନ୍ ଆରମ୍ଭ କରିଦେଇଛି । ଦିଲ୍ଲୀ ପୋଲିସ ଫାୟାର ବିଭାଗକୁ ବି ଏହି ମାମଲାରେ ସୂଚନା ଜାରି କରିଛି । ଘଟଣାସ୍ଥଳରେ ପୋଲିସ ବ୍ୟତିତ ଦମକଳ ବିଭାଗ, ବମ୍ ନିଷ୍କ୍ରିୟକାରୀ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଟିମ୍ ପହଞ୍ଚି ଯାଇଛନ୍ତି । ହସ୍ପିଟାଲର ସବୁ ଯାଗାରେ ଛାନଭିନ୍ ଜାରି ରହିଛି ।

ପୋଲିସ କହିଛି ଏହା ସେହି ଧରଣର ସାଜିସ ବାଲା ଇମେଲ୍ ଯାହା ପୂର୍ବରୁ ଦିଲ୍ଲୀ ସ୍କୁଲକୁ ମିଳିଥିଲା । ତେବେ ମିଳିଥିବା ସୂତ୍ରରୁ ଜଣାପଡିଛି ଏ ପର୍ଯ୍ୟନ୍ତ କିଛି ବି ସନ୍ଦେହଜନକ ସାମଗ୍ରୀ ପୋଲିସ ହାତରେ ପଡିନାହିଁ ।