fbpx
BJD SKY
BJD SKY

ଆଣ୍ଟାର୍କଟିକା ବରଫ ବିଶ୍ୱ ପାଇଁ ବିପଦ: ସମୁଦ୍ର ଜଳସ୍ତର ୨୦୦ ଫୁଟ ବଢ଼ିଯିବ, ସାମୁଦ୍ରିକ ଜୀବ ଗାଏବ ହୋଇଯିବେ, NSIDCର ରିପୋର୍ଟ ବଢ଼ାଇଲା ଚିନ୍ତା

BJD

ନୂଆଦିଲ୍ଲୀ: ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ବରଫବହୁଳ ଅଞ୍ଚଳ । ଆଣ୍ଟାର୍କଟିକାର ୯୯ ପ୍ରତିଶତ ଅଂଶ କେବଳ ବରଫ ଦ୍ୱାରା ଢାଙ୍କି ହୋଇ ରହିଛି । ସେଠାରେ ବରଫର ଦୁଇଟି ମୋଟା ଆସ୍ତରଣ ଜମି ରହିଛି । ମାତ୍ର ଦିନକୁ ଦିନ ଏହି ବରଫ ଏବେ ତରଳିବାରେ ଲାଗିଛି । ତେଣୁ ସମଗ୍ର ବିଶ୍ୱ ପାଇଁ ଏହା ନୂଆ ବିପଦ ସୃଷ୍ଟି କରିଛି । ଆଗାମୀ ଦିନରେ ମଣିଷ ଜାତି ଭୟଙ୍କର ସମସ୍ୟା ଦେଇ ଗତି କରିବ ବୋଲି ଅନୁମାନ କରାଯାଉଛି । ଦିନକୁ ଦିନ ଯଦି ବରଫ ଏପରି ଭାବେ ତରଳେ, ତେବେ ଏହା ସାରା ବିଶ୍ୱରେ ଧ୍ୱଂସର ତାଣ୍ଡବ ଲୀଳା ରଚିବ ।

ନ୍ୟାସନାଲ ସ୍ନୋ ଆଣ୍ଡ ଆଇସ ଡାଟା ସେଣ୍ଟର (ଏନଏସଆଇଡିସି)ର ରିପୋର୍ଟ ମୁତାବକ, ଗତ ୧୩ ଫେବୃଆରୀ ଦିନ ଆଣ୍ଟାର୍କଟିକାରେ ୧୯.୧ ଲକ୍ଷ ବର୍ଗ କିମି ବରଫ ତରଳିଛି । ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ବର୍ଷ ଫେବୃଆରୀ ମାସରେ ମଧ୍ୟ ସେଠାରେ ୧୯.୨ ଲକ୍ଷ ବର୍ଗ କିମି ବରଫ ତରଳି ଯାଇଥିଲା । ବୈଜ୍ଞାନିକଙ୍କ ମତରେ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଗୋଟିଏ ଦିନରେ ୨୦ ଲକ୍ଷ କିମି ବରଫ ତରଳିବା ଏକ ସାଧାରଣ କଥା ନୁହେଁ । ଗତବର୍ଷ ଫେବୃଆରୀ ୧୮ରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ବରଫ ତରଳିଥିଲା । ତେବେ ଚଳିତ ବର୍ଷ ମଧ୍ୟ ଏହି ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ।

ବୈଜ୍ଞାନିକମାନେ କହିଛନ୍ତି, ଆଣ୍ଟାର୍କଟିକାରେ ବରଫ ତରଳିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ତେବେ ଏଥିପାଇଁ କେବଳ ଜଳବାୟୁ ପରିବର୍ତ୍ତନକୁ ଦୋଷ ଦେଇହେବ ନାହିଁ । ଗତ ୧୯୭୯ଠାରୁ ସାଟେଲାଇଟ ମାଧ୍ୟମରେ ଆଣ୍ଟାର୍କଟିକାର ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଗତ କିଛି ବର୍ଷ ମଧ୍ୟରେ ଗରମ ମୌସମରେ ବରଫ ଦ୍ରୁତ ଭାବେ ତରଳିବାରେ ଲାଗିଛି । ପ୍ରତି ୧୦ ବର୍ଷରେ ବରଫ ୧୨-୧୩ ପ୍ରତିଶତ କମୁଥିବା ଦେଖାଯାଉଛି ।

ତେବେ ବରଫ ତରଳିବା ଆଗାମୀ ଦିନରେ ବିଶ୍ୱ ପାଇଁ ଭୟଙ୍କର ବିପଦ ଆଣିପାରେ । ଆଣ୍ଟାର୍କଟିକାରେ ପୃଥିବୀର ୭୦ ପ୍ରତିଶତ ତାଜା ପାଣି ବରଫ ଭାବେ ରହିଛି । ଆଣ୍ଟାର୍କଟିକା ୧.୪୨ କୋଟି ବର୍ଗ କିମି ଅଞ୍ଚଳରେ ବ୍ୟାପି ରହିଥିବା ବେଳେ ଯଦି ତାହା ତରଳିଯାଏ ତେବେ ଏହାଦ୍ୱାରା ସମୁଦ୍ରର ଜଳସ୍ତର ୨୦୦ ଫୁଟ ପର୍ଯ୍ୟନ୍ତ ବଢ଼ିଯିବ । ନ୍ୟାସନାଲ ଜିଓଗ୍ରାଫିକର ରିପୋର୍ଟ ମୁତାବକ, ଆଣ୍ଟାର୍କଟିକା ୩ କୋଟି ବର୍ଷ ପୂର୍ବରୁ ବରଫର ଚାଦରରେ ଢାଙ୍କି ହୋଇ ରହିଛି । ପାଖାପାଖି ୧୮ ହଜାର ବର୍ଷ ପୂର୍ବେ ଏହା ପୃଥିବୀର ଏକତୃତୀୟାଂଶ ସ୍ଥାନକୁ ବରଫରେ ଢାଙ୍କିଥିଲା, ମାତ୍ର ଏବେ ୧/୧୦ ଅଂଶରେ ବରଫ ରହିଛି ।

ବରଫ ତରଳିଲେ ସମୁଦ୍ର ଜଳର ଲୁଣିଆ ଅଂଶ କମିଯିବ । କାରଣ ବରଫ ଚାଦରରେ କେବଳ ତାଜା ପାଣି ରହିଛି । ଏହି କାରଣରୁ ସାମୁଦ୍ରିକ ଜୀବଙ୍କ ଉପରେ ପ୍ରଭାବ ପଡ଼ିପାରେ । ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ କୁହାଯାଇଛି, ଆଗାମୀ ଶତାବ୍ଦୀ ମଧ୍ୟରେ ସାମୁଦ୍ରିକ ବରଫ ୨୫ ପ୍ରତିଶତ ହ୍ରାସ ପାଇପାରେ । ଫଳରେ ଆଣ୍ଟାର୍କଟିକାରେ ରହୁଥିବା ଜୀବଜନ୍ତୁଙ୍କ କ୍ଷେତ୍ରରେ ଖାଇବା ପିଇବା ସମସ୍ୟା ଦେଖାଦେଇପାରେ ।

Get real time updates directly on you device, subscribe now.