fbpx

(Video) ପିମ୍ପୁଡ଼ି ମଧ୍ୟ କ୍ଷୀର ଦିଏ: କ୍ଷୀରକୁ କେହି ନ ପିଇଲେ ପିମ୍ପୁଡ଼ିର ମୃତ୍ୟୁ ଘଟିବ, ସମ୍ପୂର୍ଣ୍ଣ ପ୍ରକ୍ରିୟା କ୍ୟାମେରାରେ ରେକର୍ଡ

ନୂଆଦିଲ୍ଲୀ: ଏ ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷୀର ଦେଇଥାନ୍ତି । ଗାଈ, ମଇଁଷି, ଓଟ, ଛେଳି, ମେଣ୍ଢା, ଘୋଡ଼ା ସେମାନଙ୍କର ଛୁଆଙ୍କୁ କ୍ଷୀର ଦେଇଥାନ୍ତି । ତେବେ ପିମ୍ପୁଡ଼ି ମଧ୍ୟ କ୍ଷୀର ଦେଇଥାଏ । ଏକଥା ଅନେକ ଲୋକ ଜାଣିନଥିବେ । ପିମ୍ପୁଡ଼ି କ୍ଷୀର ଦେଉଥିବା ନେଇ ନିକଟରେ କରାଯାଇଥିବା ଏକ ଗବେଷଣାରୁ ପ୍ରମାଣିତ ହୋଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି ପିମ୍ପୁଡ଼ି କ୍ଷୀର ଦେବା ବେଳର ଦୃଶ୍ୟକୁ ବୈଜ୍ଞାନିକମାନେ କ୍ୟାମେରାରେ ରେକର୍ଡ କରିଛନ୍ତି । ବୟସ୍କ ହେବା ପୂର୍ବରୁ ପିମ୍ପୁଡ଼ିମାନେ କ୍ଷୀର ଦେଇଥାନ୍ତି । ଯୁବାବସ୍ଥାରେ ପିମ୍ପୁଡ଼ିଙ୍କ ଠାରୁ ଏକ ସ୍ୱତନ୍ତ୍ର ଧରଣର ତରଳ ପଦାର୍ଥ ବାହାରିଥାଏ, ଯାହାକି ଏକ ପ୍ରକାରର କ୍ଷୀର ବୋଲି କୁହାଯାଉଛି । ତେବେ ଏହି କ୍ଷୀରକୁ ଉଭୟ ବୟସ୍କ ଓ ଛୁଆ ପିମ୍ପୁଡ଼ିମାନେ ପିଇଥାନ୍ତି ।

ତେବେ ସବୁଠାରୁ ବଡ଼ କଥା ହେଉଛି, ପିମ୍ପୁଡ଼ି ଶରୀରରୁ ନିର୍ଗତ ଏହି ତରଳ ପଦାର୍ଥକୁ ଯଦି ଅଲଗା କରାନଯାଏ ବା ଅନ୍ୟ ପିମ୍ପୁଡ଼ିମାନେ ଏହାକୁ ନ ପିଅନ୍ତି ତେବେ ନିଜ ତରଳ ପଦାର୍ଥରେ ଯୁବ ପିମ୍ପୁଡ଼ି ବୁଡ଼ି ମୃତ୍ୟୁବରଣ କରିପାରେ । ଯୁବ ପିମ୍ପୁଡ଼ିକୁ ପ୍ୟୁପା କୁହାଯାଉଥିବା ବେଳେ ସେମାନଙ୍କଠାରୁ ଅଧିକ ତରଳ ପଦାର୍ଥ ବା କ୍ଷୀର ନିର୍ଗତ ହୋଇଥାଏ । ଗୋଟିଏ ନବଜାତ ଶିଶୁ ପାଇଁ ମା’ ଯେପରି ଅପରିହାର୍ଯ୍ୟ ସେହିପରି ପିମ୍ପୁଡ଼ିଙ୍କର ଶିଶୁ ବା ଲାରଭା ଅବସ୍ଥାରେ ମଧ୍ୟ ପ୍ୟୁପାଙ୍କ କ୍ଷୀର ସେତିକି ଜରୁରୀ । ସାଧାରଣ ଭାବେ ପିମ୍ପୁଡ଼ିମାନେ ପ୍ରଥମେ ଅଣ୍ଡା, ତା’ପରେ ଲାରଭା, ତା’ପରେ ପ୍ୟୁପା ଓ ଶେଷରେ ବୟସ୍କ ହୋଇଥାନ୍ତି । ତେବେ ଏହି ପ୍ୟୁପା ଏତେ କମ୍ ମାତ୍ରାରେ କ୍ଷୀର ଦିଅନ୍ତି ଯେ ତାହାକୁ ସଂଗ୍ରହ କରିବା ଅସମ୍ଭବ ବୋଲି ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.