fbpx

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ: ବାହାରକୁ ଯାଇ ପାରିବେନି, ତଦନ୍ତରେ ସହଯୋଗ କରିବେ, ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକଦା ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବରୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହୋଇ ଜେଲରେ ରହିଥିଲେ । ଗତମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ରାଜଧାନୀର ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଜଗବନ୍ଧୁଙ୍କ ନାମରେ ଅଭିଯୋଗ ଦାୟର କରିଥିଲେ ।

ସୂଚନା ମୁତାବକ, ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ଆଜି ହାଇକୋର୍ଟରୁ ଜାମିନ ମିଳିଛି । ବ୍ଲାକମେଲିଂ ମାମଲାରେ ତାଙ୍କୁ ପୋଲିସ ଗିରଫ କରିଥିଲା । ଅର୍ଚ୍ଚନା ତାଙ୍କୁ ବ୍ଲାକମେଲିଂ କରୁଥିବା ନେଇ ଓଲିଉଡ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ରାଜଧାନୀର ନୟାପଲ୍ଲୀ ଥାନାରେ ମାମଲା ଦାୟର କରିଥିଲେ । ପରବର୍ତ୍ତୀ ସମୟରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ହାଇକୋର୍ଟରୁ କେବଳ ଗୋଟିଏ ମାମଲାରେ ଜାମିନ ମିଳିଛି । ତେବେ ଅର୍ଚ୍ଚନାଙ୍କ ନାମରେ ଏକାଧିକ ମାମଲା ରହିଥିବାରୁ ସେ ଏବେ ଜେଲରୁ ବାହାରିବେନି ବୋଲି ଜଣାପଡ଼ିଛି ।

ତେବେ ଅର୍ଚ୍ଚନାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏଥିସହିତ ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନ ଯିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଜଗବନ୍ଧୁଙ୍କୁ ମଧ୍ୟ ୩ଟି ମାମଲାରୁ ଗୋଟିଏ ମାମଲାରେ ଜାମିନ ମିଳିଥିଲା । ଗତବର୍ଷ ଅକ୍ଟୋବର ମାସରେ ଅର୍ଚ୍ଚନା ଗିରଫ ହୋଇଥିବା ବେଳେ ୧୭ରେ ତାଙ୍କର ଜାମିନକୁ ଏସଡିଜେଏମ କୋର୍ଟ ନାମଞ୍ଜୁର କରିଦେଇଥିଲେ । ଏହାପରେ ୨୧ ତାରିଖରେ ଭୁବନେଶ୍ୱରର ସ୍ଥିତ ସତ୍ୟବିହାର ବାସଭବନରୁ ଜଗବନ୍ଧୁଙ୍କୁ ପୋଲିସ ଗିରଫ କରିଥିଲା ।

Get real time updates directly on you device, subscribe now.