ନୂଆଦିଲ୍ଲୀ: ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି ସେନା ମୁଖ୍ୟ ଏମ ଏମ ନରୱଣେ । ସେ ଲଦାଖର ପୂର୍ବ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶୀତ ଋତୁରେ ତୁଷାରପାତ କାରଣରୁ ଲଦାଖର ଅଧିକାଂଶ ଅଞ୍ଚଳ ଦେଶର ଅନ୍ୟାନ୍ୟ ସ୍ଥାନରୁ ବିଚ୍ଛିନ୍ନ ହୋଇଥାଏ। ଏଭଳି ପରିସ୍ଥିତିରେ ଚୀନ୍ ସୀମାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରୁଛି।
ଏନଆଇର ଖବର ଅନୁଯାୟୀ, ଭାରତ-ଚୀନ୍ ସୀମାରେ ପୋଷ୍ଟ କରାଯାଇଥିବା ଭାରତୀୟ ସୈନିକମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ଗସ୍ତ ସମୟରେ ସେନା ମୁଖ୍ୟ ଏହି କଠିନ ଅଞ୍ଚଳରେ ନିୟୋଜିତ ସୈନିକମାନଙ୍କ ସହ କଥାହେବା ସହ ସେମାନଙ୍କ ଉତ୍ସାହିତ କରିବେ । ସେ ରାଜଭବନରେ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ରାଧା କୃଷ୍ଣ ମଥୁରଙ୍କୁ ମଧ୍ୟ ଭେଟିଥିଲେ। କାଶ୍ମୀରର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଚୀନ୍ ବହୁ ସଂଖ୍ୟକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ନିୟୋଜିତ କରୁଛି। ଏହାର ଜବାବରେ ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ବହୁ ସଂଖ୍ୟାରେ ସେମାନଙ୍କ ନିୟୋଜନକୁ ସୁନିଶ୍ଚିତ କରିଛନ୍ତି ।
ପୂର୍ବ ଲଦାଖ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଏକ ବର୍ଷ ପୂର୍ବେ ଭାରତ-ଚୀନ୍ ସୀମାରେ ଥିବା ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ ।