ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ରମେନ, ଚିନ୍ମୟଙ୍କୁ ଜେଲରୁ ବାହାର କରିବାକୁ ଚାହୁଁଥିଲେ…. ଶେଷରେ ଆକ୍ରମଣର ଶିକାର ହେଲେ
ଢାକା: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ହେଉଥିବା ଅତ୍ୟାଚାରର ବିରୋଧ କରି ଗିରଫ ଇସ୍କୁନ ସନ୍ଥ ଚନ୍ମୟଙ୍କ ଓକିଲଙ୍କୁ ଆକ୍ରମଣ କରାଯାଇଛି । ଓକିଲ ରମେନ ରାୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ଇସ୍କନ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ରମେନଙ୍କ ଘରେ ପଶି ମୁସଲମାନମାନେ ତାଙ୍କୁ ମାରଧର କରିଥିବା କୁହାଯାଇଛି । ସୋମବାର ରାତିରେ ରାଧାରମଣ ଦାସ ଏକ୍ସରେ ଏ ସଂକ୍ରାନ୍ତରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ରମେନ ଜଲଦି ସୁସ୍ଥ ହେବା ନେଇ ସମସ୍ତେ ପ୍ରାର୍ଥନା କରନ୍ତୁ । ବିନା ଦୋଷରେ ଗିରଫ ହୋଇଥିବା ଚିନ୍ମୟଙ୍କ ରକ୍ଷା ପାଇଁ ରମେନ ବାହାରିବା ତାଙ୍କ ପାଇଁ ଭୁଲ ପ୍ରମାଣିତ ହୋଇଛି ।
ବାଂଲାଦେଶରେ ହିନ୍ଦୁ ମନ୍ଦିର ଭଙ୍ଗାରୁଜା ସହିତ ସେମାନଙ୍କ ଦୋକାନ ଘର ଜାଳି ଦେବା ଘଟଣାକୁ ଚିନ୍ମୟ ଘୋର ବିରୋଧ କରିଥିଲେ । ଏ ନେଇ ଗତ ନଭେମ୍ବର ୨୫ରେ ତାଙ୍କୁ ପୋଲିସ ଗିରଫ କରି ନେଇଥିଲା । ଚିନ୍ମୟଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । କିଛିଦିନ ପୂର୍ବେ ଚିତଗାଓ କୋର୍ଟ ସମ୍ମୁଖରେ ବିକ୍ଷୋଭବେଳେ ଜଣେ ମୁସଲିମ ଓକିଲଙ୍କ ମୃତ୍ୟୁ ଘଟିଥିଲା । ଦେଶରେ ଜାରିଥିବା କୋଟା ସିଷ୍ଟମ ବିରୋଧ କରି ବାଂଲାଦେଶରେ ବିକ୍ଷୋଭ ଆରମ୍ଭ ହୋଇଥିଲା । ଯାହା ଧୀରେ ଧୀରେ ହିଂସାର ରୂପ ନେଇଥିଲା । ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଜନ ଅକ୍ରୋଶ ଏତେ ବଢ଼ିଗଲା ଯେ, ଶେଷରେ ହାସିନା ଦେଶ ଛାଡ଼ି ପଳାଇଥିଲେ । ଅଗଷ୍ଟ ୫ରେ ହାସିନା ସ୍ୱତନ୍ତ୍ର ବିମାନ ଯୋଗେ ଭାରତରେ ଆଶ୍ରୟ ନେଇଥିଲେ ।