fbpx

ନୀରଜ ଚୋପ୍ରା ଯାହା କରିପାରି ନାହାନ୍ତି, ତାହା କରି ଦେଖାଇଲେ ଅରଶଦ ନଦୀମ ! ଖୁସିରେ ଝୁମି ଉଠିଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ଜାଭେଲିନ ଫିଙ୍ଗାଳି ଅରଶଦ ନଦୀମ ସୋମବାର ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ଇତିହାସରେ ଜାଭେଲିନରେ ପାକିସ୍ତାନର ଏହା ପ୍ରଥମ ସ୍ଵର୍ଣ୍ଣ ପଦକ।

ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଅରଶଦ ନଦୀମ ୯୦.୧୮ ମିଟର ଫିଙ୍ଗି ସ୍ଵର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି। ଅରଶଦ ନଦୀମଙ୍କ ପାଇଁ ଏହି ଉପଲବ୍ଧି ଏଥିପାଇଁ ଖାସ୍ କାରଣ ଭାରତର ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଏ ପର‌୍ୟ୍ୟନ୍ତ ୯୦ ମିଟର ଜାଭେଲିନ ଫିଙ୍ଗି ନାହାନ୍ତି।

ଅଲିମ୍ପିକ ସ୍ଵର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଖରାପ ଫିଟନେସ୍ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରି ପାରି ନାହାନ୍ତି। ଏହା ସତ୍ଵେ ଅରଶଦଙ୍କ ପାଇଁ ଏଠାରେ ସ୍ଵର୍ଣ୍ଣ ପଦକ ଜିତିବା ସେତେଟା ସହଜ ନଥିଲା। କାରଣ ତାଙ୍କ ସାମ୍ନାରେ ଥିଲେ ବିଶ୍ଵ ଚାମ୍ପିଅନଶିପରେ ସ୍ଵର୍ଣ୍ଣ ପଦକ ବିଜେତା ଆଣ୍ଡରସନ ପିଟର୍ସ। ବିଶ୍ଵ ଚାମ୍ପିଅନଶିପରେ ମୁକାବିଲାରେ ନୀରଜ ଚୋପ୍ରାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ପାକିସ୍ତାନର ଅରଶଦ ନଦୀମ ପଞ୍ଚମ ସ୍ଥାନରେ ରହିଥିଲେ।

 

ଗ୍ରେନେଡାର ଆଣ୍ଡରସନ ପିଟର୍ସ୮୮.୬୪ ମିଟର ଜାଭେଲିନ ଫିଙ୍ଗି ଦ୍ଵିତୀୟ ସ୍ଥାନରେ ରହିଛନ୍ତି। କେନିଆର ୟୋଗୋ ୮୫.୭୦ ମିଟର ସହ ତୃତୀୟ ସ୍ଥାନରେ ରହିଛନ୍ତି। ନୀରଜ ଚୋପ୍ରା ଆହତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡା ଖେଳି ପାରି ନାହାନ୍ତି।

ଅରଶଦ ନଦୀମଙ୍କ ଏହି ଐତିହାସିକ ମ୍ୟାଚକୁ ଟିଭିରେ ଦେଖୁଥିବା ତାଙ୍କ ପରିବାରର ଲୋକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ତାଙ୍କ ପୂରା ପରିବାର ଏକାଠି ବସି ମ୍ୟାଚ୍ ଦେଖୁଥିବା ଫଟୋରେ ଦେଖିବାକୁ ମିଳିଛି।

ନଦୀମଙ୍କ ଏହି ଉପଲବ୍ଧିରେ ପାକିସ୍ତାନରେ ଖୁସିର ମାହୋଲ ଖେଳି ଯାଇଛି। ତାଙ୍କ ନିକଟକୁ ସମଗ୍ର ଦେଶରୁ ଶୁଭେଚ୍ଛାର ସୂଅ ଛୁଟିବାରେ ଲାଗିଛି। ପାକିସ୍ତାନର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସାଂସଦ, ସାମ୍ବାଦିକ, ଖେଳାଳିଙ୍କଠୁ ନେଇ ସାଧାରଣ ଜନତା ନଦୀମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Get real time updates directly on you device, subscribe now.