fbpx

ଆତ୍ମହତ୍ୟା କରିଦେଲେ ବଲିଉଡର ଆଉଜଣେ ଷ୍ଟାର୍

ମୁମ୍ବାଇ: ଦେଶରେ ସମ୍ପ୍ରତି ଆତ୍ମହତ୍ୟା ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରାୟ ପ୍ରତିଦିନ ଏଭଳି ଘଟଣା ସମ୍ପର୍କରେ ଖବର ମିଳୁଛି । ତେବେ ଏଭଳି କାଣ୍ଡ ସାଧାରଣ ଜନତାଙ୍କ ମଧ୍ୟରେ ସୀମିତ ହୋଇରହିନି । ଦେଶର କଳାକାର ଓ ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଏଭଳି ଆତ୍ମହତ୍ୟା କରୁଥିବା ଖବର ଜଣାପଡୁଛି । ନିକଟରେ ଜଣେ ମଡେଲ୍ ବିଲ୍ଡିଂ ଉପରୁ ଡେଇଁ ଆତ୍ମହତ୍ୟା କରିଥିଲେ । ସେହିପରି ଆଉଜଣେ ବଲିଉଡ୍ ଷ୍ଟାର ଶନିବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜୀବନ ହାରିଥିବା ବ୍ୟକ୍ତିଜଣଙ୍କ ହେଉଛନ୍ତି ଚର୍ଚ୍ଚିତ ଆର୍ଟ ଡିରେକ୍ଟର ତଥା କଳା ନିର୍ଦ୍ଦେଶକ ରାଜୁ ସାପ୍ତେ ।

ସୂଚନା ଅନୁସାରେ ପୁନେ ସ୍ଥିତ ନିଜ ବାସଭବନରେ ରାଜୁ ଆତ୍ମହତ୍ୟା କରିଦେଇଛନ୍ତି । ତେବେ ଏହା ପୂର୍ବରୁ ସେ ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଓ ସେଥିରେ ଆତ୍ମହତ୍ୟାର କାରଣ ଦର୍ଶାଇଥିବା କୁହାଯାଉଛି । ସେଥିରେ ସେ କହୁଛନ୍ତି ଯେ- ନମସ୍କାର, ମୁଁ ରାଜୁ ସାପ୍ତେ । ଆର୍ଟ ଡିରେକ୍ଟର । ମୁଁ ଏଭଳି ନିଷ୍ପତ୍ତି ଖୁବ୍ ଭାବିଚିନ୍ତି ନେଉଛି । କାରଣ ମଜଦୂର ସଂଘ ପକ୍ଷରୁ ରାକେଶ ମୌର୍ଯ୍ୟ ମୋତେ ଖୁବ୍ ହଇରାଣ କରୁଛି । ଏଥିରେ ମୁଁ ବ୍ୟସ୍ତବିବ୍ରତ ହୋଇପଡ଼ିଲିଣି । ନିୟମିତ ଭାବେ କିସ୍ତି ଦେଉଥିଲେ ମଧ୍ୟ ଠିକଣା ସମୟରେ ମୋତେ ମୋ ପ୍ରାପ୍ୟ ପାଇବାରେ ବିଳମ୍ବ ହେଉଛି । ଏପରିକି ମୋ ନାମରେ ମିଥ୍ୟା କଥା ସବୁ ସଂଘ ସଦସ୍ୟଙ୍କୁ ରାକେଶ କହୁଛନ୍ତି। ଏଭଳି ପରିସ୍ଥିତିରେ ମୋ ପାଖରେ ୫ଟି ପ୍ରୋଜେକ୍ଟ ଥିବାବେଳେ ସେଥିରୁ ଗୋଟିଏ ମୁଁ ବାଧ୍ୟହୋଇ ହରାଇବାକୁ ପଡ଼ିଛି ।

ଉପରୋକ୍ତ ମର୍ମରେ ସେ ଭିଡିଓରେ ମତ ଦେବା ସହ ଘଟଣାର ପ୍ରତିବାଦରେ ଆତ୍ମହତ୍ୟା କରୁଥିବା ଦର୍ଶାଇଛନ୍ତି । ଏଥିସହ ମୋତେ ନ୍ୟାୟ ଦିଆଯାଉ ବୋଲି ଅନୁରୋଧ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ବଲିଉଡର ଏହି ନାମକରା ଆର୍ଟ ଡିରେକ୍ଟର୍ ରାଜୁ ସାପ୍ତେ ‘ରାଜଧାନୀ ଏକ୍ସପ୍ରେସ୍’ ଓ ‘ମାନ୍ୟା ଦ ୱଣ୍ଡର୍ ବୟ’ ଭଳି ଚଳଚ୍ଚିତ୍ରରେ ନିଜର କଳା ନିର୍ଦ୍ଦେଶନାର ନିଖୁଣ ଛାପ ଛାଡ଼ିଯାଇଛନ୍ତି ।

 

Get real time updates directly on you device, subscribe now.