fbpx

କଳାକାରଙ୍କୁ ଘାଣ୍ଟୁଛି କରୋନା

Advertisement

କଣ୍ଟାମାଳ,୨ା୪(ଓଡ଼ିଶା ଭାସ୍କର): କରୋନାର ସଂକ୍ରମଣକୁ ରୋକିବା ନିମନ୍ତେ ଲଗ ଡାଉନ ଘୋଷଣା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ହେଁ ଜନ ଜୀବନକୁ ସଂପୂର୍ଣ୍ଣ ଅସ୍ତବ୍ୟସ୍ତ କରି ଦେଇଥିବା ଦେଖିବାକୁ ମିଳିଛି । ଏଭଳି ଘୋଷଣାରେ ଗରୀବ ଦିନ ମଜୁରୀଆଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ବହୁଳ ମାତ୍ରାରେ ହନ୍ତସନ୍ତ ହେଉଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷିତ ବିଭିନ୍ନ ପ୍ୟାକେଜ କିଛି ମାତ୍ରାରେ ଗରୀବଙ୍କ ପାଇଁ ଆଶ୍ୱସ୍ତ ଆଣିଛି । ତେବେ ଏଥିରେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ କଳାକାର ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସେମାନେ ନିଜର ସମସ୍ତ ବୃତ୍ତି ହରାଇ ଆଜି ବେଶ ଆର୍ଥୀକ ଅନାଟନରେ ଜୀବନ ବିତାଉଥିବା ଦେଖିବାକୁ ମଳୁଛି । ଏଭଳି କଟକଣା ସମୟରେ ଉଭୟ ଦଣ୍ଡ ଓ ରାମଲୀଳା, ସାଂସ୍କୃତିକ ଉତ୍ସବ, ମହୋତ୍ସବ ସହିତ ଲୋକ ନାଟକ ଭଳି କାର୍ଯ୍ୟକ୍ରମ ବାତିଲ ହୋଇ ଯାଇଥିବା ହେତୁ କଳାକାର ପେଶାକୁ ନିଜ ରୋଜଗାରଭାବେ ଆପଣେଇ ଥିବା ଏହି କଳାକାରମାନେ ମଧ୍ୟ ସେମାନଙ୍କ ବର୍ଷ ବର୍ଷକର ବୃତ୍ତି ହରାଇ ଥିବା ପ୍ରକାଶ । ବିବାହ, ବ୍ରତ ଆଦି ସାମଜିକ କାର୍ଯ୍ୟକ୍ରମ ବାତିଲ ଯୋଗୁଁ ବାଜା କଳାକାର ମାନେ ବିଶେଷଭାବେ ପ୍ରଭାବିତ ହୋଇଥିବା ବେଳେ ଗ୍ରାମାଞ୍ଚଳରେ ରହୁଥିବା ହଜାର ହଜାର ସଂକୀର୍ତ୍ତନ, ପାଲା, ଦାଶକାଠିଆ, ଘୁଡକୀ, କୃଷ୍ଣଗୁରୁ ଭଳି କଳାକାର ନିଜ ନିଜର ନିତି ଦିନିଆ କଳା ପ୍ରଦର୍ଶନରୁ ବଂଚିତ ହୋଇ ବେଶ ଆର୍ଥୀକ ଅନାଟନରେ ଜୁଝୁଥିବା ବେଳେ ଏମାନଙ୍କ ପାଇଁ କୌଣସି ପ୍ୟାକେଜ ଘୋଷଣା ହୋଇ ନାହିଁ । ଯଦ୍ୱାରା ନିଜ ନିଜର କଳା, କରିସ୍ମାକୁ ଘରର ଚାରି କାନ୍ଥ ମଧ୍ୟରେ ନିବୁଜ କରି ସରକାରୀ ସହାୟତା ପାଇଁ ହାତ ଟେକି ରହିଥିବା କଳାକାର ମାନଙ୍କ ପ୍ରତି ରାଜ୍ୟ ସରକାର ସୁଦୃଷ୍ଟି ଦେବାକୁ ଦାବୀ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାନସ ସନ୍ତାନ ଭାବେ ଗଠିତ ହୋଇଥିବା ଜିଲ୍ଲା/ନଗର/ବ୍ଳକ କଳା ସଂସ୍କୃତି ସଂଘ କଳାକାର ମାନଙ୍କ ଜୀବନ ଜୀବିକା ସହିତ ଯୋଡି ହୋଇ ରହିଥିବା ବେଳେ କଟକଣା ଯୋଗୁଁ କୌଣସି ସାଂସ୍କୃତିକ ସଚେତନତା କାର୍ଯ୍ୟ ସୁଦ୍ଧା ହୋଇ ପାରୁନଥିବାରୁ ସେମାନଙ୍କ ଉପାର୍ଜ୍ଜନର ଏକ ପ୍ରମୁଖ ମାଧ୍ୟମ ସେମାନଙ୍କୁ ବେସାହାର କରିଦେଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର କଳାକାର ମାନଙ୍କ ଜୀବନ ଜୀବିକା ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଅନ୍ୟ ମାନଙ୍କ ପରି ୩ ମାସର ଆଗୁଆ ଭତ୍ତା ପ୍ରଦାନ କରିବା, ବାକୀ ରହିଥିବା କଳକାର ମାନଙ୍କୁ ମୂଖ୍ୟମନ୍ତ୍ରୀ ଦୁସ୍ଥ କଳାକାର ଭତ୍ତା ପ୍ରଦାନ ସହ ପରିବାର ଭରଣପୋଷଣ ପାଇଁ ଆର୍ଥିକ ସହାୟତା ଦେବାକୁ ବୌଦ୍ଧ ଜିଲ୍ଲା କଳା ସଂସ୍କୃତି ସଂଘର ଉପ-ସଭାପତି ତଥା ରାଜ୍ୟ ସଂସ୍କୃତି ବିଭାଗର ସାଧନ କର୍ମୀ ଦିବ୍ୟଶଙ୍କର ରାଉତ ରାଜ୍ୟ ମୂଖ୍ୟମନ୍ତ୍ରୀଙ୍କୁ ଲିଖିତଭାବେ ଅନୁରୋଧ କରିଥିବା ପ୍ରକାଶ ।

Get real time updates directly on you device, subscribe now.