fbpx
BJD SKY
BJD SKY

୧୦୦ତମ ଟେଷ୍ଟରେ ସେନ୍ ୱାର୍ଣ୍ଣଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱୀନ: କୁମ୍ବଲେ-କପିଲ ବି ରହିଗଲେ ପଛରେ

BJD

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ସହ ସିରିଜ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ଦମଦାର ବୋଲିଂରେ ତୃତୀୟ ଦିନରେ ହିଁ ଏହି ମ୍ୟାଚରେ ରୋହିତ ସେନା ବିଜୟୀ ହୋଇଛି । ତେବେ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳୁଥିବା ଅଶ୍ୱୀନ ଏହି ମ୍ୟାଚରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ପୂର୍ବତନ ମହାନ୍ ଲେଗ୍ ସ୍ପିନର ସେନ୍ ୱାର୍ଣ୍ଣଙ୍କ ରେକର୍ଡ ଭାଙ୍ଗିବା ସହ ମୁଥେୟା ମୁରଲୀଧରନଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ଅଶ୍ୱୀନ । ତେବେ ଏହି ତାଲିକାରେ ଭାରତର ପୂର୍ବତନ କ୍ରିକେଟର କପିଲ ଦେବ ଏବଂ ଅନିଲ କୁମ୍ବଲେ ମଧ୍ୟ ଅଶ୍ୱୀନଙ୍କ ପଛରେ ପଡ଼ିଯାଇଛନ୍ତି ।

ଟିମ ଇଣ୍ଡିଆର ଭେଟେରାନ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଧର୍ମଶାଳାରେ ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିଛନ୍ତି । ୧୦୦ତମ ମ୍ୟାଚର ଦୁଇଟି ଇନିଂସରେ ମୋଟ ୯ଟି ୱିକେଟ ନିଜ ନାମରେ କରିଛନ୍ତି ଅଶ୍ୱୀନ । ସେନ୍ ୱାର୍ଣ୍ଣ ନିଜର ୧୦୦ତମ ଟେଷ୍ଟରେ ୮ଟି ୱିକେଟ ହାସଲ କରିଥିବା ବେଳେ ଅଶ୍ୱୀନ ଏହି ମ୍ୟାଚରେ ୯ଟି ୱିକେଟ ହାସଲ କରିଛନ୍ତି । ପ୍ରଥମ ଇନିଂସରେ ୫୧ରନ୍ ଦେଇ ୪ଟି ୱିକେଟ ନେଇଥିବା ବେଳେ ଦ୍ୱିତୀୟ ଇନିଂସରେ ୭୭ ରନ୍ ଦେଇ ସେ ୫ଟି ସଫଳତା ପାଇଛନ୍ତି ।

ଶ୍ରୀଲଙ୍କାର ପୂର୍ବତନ ସ୍ପିନର ମୁଥେୟା ମୁରଲୀଧରନ୍ ନିଜ ୧୦୦ତମ ଟେଷ୍ଟରେ ୯ ୱିକେଟ ନେବାରେ ସଫଳ ହୋଇଥିଲେ । ତେବେ ଟିମ ଇଣ୍ଡିଆ ପକ୍ଷରୁ ପୂର୍ବତନ ସ୍ପିନର ଅନିଲ କୁମ୍ବଲେ ନିଜ ୧୦୦ତମ ମ୍ୟାଚରେ ୭ଟି ୱିକେଟ ନେଇଛନ୍ତି । ଭାରତର ପ୍ରଥମ ବିଶ୍ୱବିଜୟୀ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର କପିଲ ଦେବ ମଧ୍ୟ ନିଜ ୧୦୦ତମ ଟେଷ୍ଟରେ ୭ଟି ୱିକେଟ ହାସଲ କରିଛନ୍ତି ।

Get real time updates directly on you device, subscribe now.