fbpx
BJD SKY
BJD SKY

ଏସିଆ କପ୍‌ରେ ନିଆରା ରେକର୍ଡ ପ୍ରତିଷ୍ଠା କରିବେ କୋହଲି: ଟି-୨୦ ଫର୍ମାଟରେ ଖେଳିବେ ୧୦୦ତମ ମ୍ୟାଚ୍‌

BJD

ଦୁବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଚଳିତ ଏସିଆ କପ୍‌ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ତିନିବର୍ଷ ଧରି ସେ ସମ୍ପୂର୍ଣ୍ଣ ବିଫଳ ହୋଇ ଆସୁଥିବା ବେଳେ ଏସିଆ କପ୍‌ରେ ସଫଳ ହେଲେ ଏହା ତାଙ୍କ କ୍ୟାରିୟର୍‌ର ମୋଡ଼ ବଦଳାଇ ପାରିବ । କାରଣ ଆଗକୁ ଟି-୨୦ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଥିଲାବେଳେ ଏସିଆ କପ୍‌ରେ ବିଫଳ ହେଲେ କୋହଲି ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ସମସ୍ୟା ସୃଷ୍ଟି ହେବ । ସେ ବିଶ୍ୱର ଜଣେ ପ୍ରମୁଖ ଖେଳାଳି ହୋଇଥିବାରୁ ତାଙ୍କର କ୍ରମାଗତ ବିଫଳତା ନେଇ କ୍ରିକେଟ୍‌ ମହଲରେ ବଡ଼ ଚର୍ଚ୍ଚା ଜାରି ରହିଛି । ବର୍ତ୍ତମାନ ୨ମାସ ଧରି ସେ ବିଶ୍ରାମ ନେଉଥିବା ବେଳେ ଏସିଆ କପ୍‌ରେ ପୁଣି ଭାଗ୍ୟ ପରୀକ୍ଷା କରିବେ । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି ।

ରବିବାର ଦିନ ପାକିସ୍ତାନ ବିପକ୍ଷ ଏସିଆ କପ୍‌ ମୁକାବିଲା ଚର୍ଚ୍ଚାରେ ଥିବାବେଳେ କୋହଲିଙ୍କ ପ୍ରଦର୍ଶନ ନିଆରା ରହିବ । କାରଣ ସେ ପାକିସ୍ତାନ ବିପକ୍ଷରେ ସବୁବେଳେ ଭଲ ଖେଳି ଆସିଛନ୍ତି । କୋହଲି ଭାରତ ପାଇଁ ପାକିସ୍ତାନ ବିକ୍ଷରେ ୭ ଟି-୨୦ ମ୍ୟାଚ୍‌ ଖେଳି ୩ ଅର୍ଦ୍ଧଶତକ ସହ ୩୧୧ ରନ୍‌ କରିଛନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ବିରୁଦ୍ଧରେ ଖେଳି କୋହଲି ଆଉ ଏକ ନିଆରା ରେକର୍ଡ ପ୍ରତିଷ୍ଠା କରିବେ । ଏହା ହେବ ତାଙ୍କର ୧୦୦ତମ ଟି- ୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ । ଭାରତର ପ୍ରଥମ ଖେଳାଳି ଭାବେ ୩ ଫର୍ମାଟ୍‌ରେ ୧୦୦ରୁ ଉଦ୍ଧ୍ୱର୍ ଲେଖାଏଁ ମ୍ୟାଚ୍‌ ଖେଳିବାରେ ସେ ଏକ ରେକର୍ଡ ପ୍ରତିଷ୍ଠା କରିବେ । ତେଣୁ ସବୁଠାରୁ ଗୁରୁତ୍ୱୂର୍ଣ୍ଣ କଥା ହେଉଛି ଯେ, ଏସିଆ କପ୍‌ରେ ବିଫଳ ହେଲେ ବଡ଼ ସମସ୍ୟାର ସମ୍ମୁଖୀନ ହେବେ । କାରଣ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ପାଇଁ ଦଳ ଚୟନ କରିବା ସକାଶେ ବିସିସିଆଇ ଚୟନକର୍ତ୍ତାମାନେ ପ୍ରୟାସ ଜାରି ରଖିଛନ୍ତି । ତେଣୁ ଏସିଆ କପ୍‌ରେ ସଫଳ ହେଲେ ସେ ନିଶ୍ଚିତ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ ।

Get real time updates directly on you device, subscribe now.