fbpx

ଭାରି ପଡିଲା ମୁଖ୍ୟମନ୍ତ୍ରୀ ମୋହ, ଅଧ୍ୟକ୍ଷ ପଦ ଦୌଡରୁ ଗେହଲଟ୍ ବାହାର କଲା କଂଗ୍ରେସ, ଏହି ନେତାଙ୍କ ଉପରେ ନଜର

ନୂଆଦିଲ୍ଲୀ: ରାହସ୍ଥାନ ମୁଖ୍ୟମନ୍ତ୍ରୀ ପଦର ମୋହ ଅଶୋକ ଗେହଲଟ୍ ଙ୍କୁ ମହଙ୍ଗା ପଡିଛି। ସଚିନ ପାଇଲଟ୍ ଙ୍କ ତୀବ୍ର ବିରୋଧୀ କୁହାଯାଉଥିବା ଅଶୋକ ଗେହଲଟଙ୍କ ଆଭିମୁଖ୍ୟ ନେଇ ଖପ୍ପା କଂଗ୍ରେସ ହାଇକମାଣ୍ଡ। କଂଗ୍ରେସ ଅଧ୍ୟକ୍ଷ ଦପ ନିର୍ବାଚନ ପ୍ରକ୍ରିୟା ସମୟରେ ରାଜସ୍ଥାନ ସଙ୍କଟ କଂଗ୍ରେସକୁ ଖୁବ୍ ବାଧିଛି। ଆଉ ଏମିତି ପରିସ୍ଥିତି ପାଇଁ ଗେହଲଟଙ୍କୁ ଦାୟୀ କରିଛି କଂଗ୍ରେସର କାର୍ଯ୍ୟକାରିଣୀ। ଏବେ ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଅଶୋକ ଗେହଲଟ୍ ଙ୍କୁ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରୁ ବାହାର କରାଯାଇଛି।
ହାଇକମାଣ୍ଡଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଅଶୋକ ଗେହଲଟଙ୍କ ସମର୍ଥନରେ ତାଙ୍କର ୮୨ ବିଧାୟକ ଇସ୍ତଫା ଦେବା ଗାନ୍ଧୀ ପରିବାରକୁ ବହୁତ ନିରାଶ କରିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଗେହଲଟକୁ ନେଇ ଗାନ୍ଧୀ ପରିବାର କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି। ତେଣୁ ବର୍ତ୍ତମାନ ତାଙ୍କୁ ଅଧ୍ୟକ୍ଷ ପଦ ଦୌଡରୁ ବାଦ୍ ଦେବାକୁ ଦଳ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅନ୍ୟ କୌଣସି ନେତାଙ୍କୁ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଯଦି ଏମିତି ହୁଏ ତେବେ ଗେହଲଟ୍ ଙ୍କ ରାଜନୈତିକ ଭବିଷ୍ୟତ ଉପରେ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇପାରେ।

ଗେହଲଟ୍ ଙ୍କ ହଟାଯିବା ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ମଲ୍ଲିକାର୍ଜୁନ ଖଡଗେ, ମୁକୁଲ ଓ୍ବାସନିକ, କମଲନାଥଙ୍କ ପରି ନେତା ସାମିଲ୍। ଏପରିକି ରାହୁଲଙ୍କ ଘନିଷ୍ଠ ତଥା କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଦୌଡରେ ରହିଛନ୍ତି। ଦିଗବିଜୟ ସିଂହ ମଧ୍ୟ ମଇଦାନକୁ ଓହ୍ଲାଇବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏବେ ଦେଖିବା ବାକି ରହିଲା ଯେ ସୋନିଆ ଏବଂ ରାହୁଲ କାହାକୁ ସମର୍ଥନ କରୁଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ନେତା ବିଚାର ବିମର୍ଶ ଚଳାଇଛନ୍ତି। ଅଶୋକ ଗେହଲଟ୍ ଙ୍କୁ ନେଇ ଗାନ୍ଧୀ ପରିବାର ପୂର୍ବରୁ ଆଶ୍ଵସ୍ତି ଥିଲେ।ପ୍ରତିଦ୍ଵନ୍ଦୀ ଭାବେ ଶଶି ଥରୁର ଥିଲେ ମଧ୍ୟ ଗେହଲଟଙ୍କ ଅଧ୍ୟକ୍ଷ ହେବା ପ୍ରାୟତଃ ନିଶ୍ଚିତ ଲାଗୁଥିଲା। ହେଲେ ତାଙ୍କର ଆଭିମୁଖ୍ୟ ପାର୍ଟି ହାଇକମାଣ୍ଡଙ୍କୁ ଆଘାତ ଦେଇଛି।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୋମବାର ନାମାଙ୍କନ ଆରମ୍ଭ ହେବାର ଥିଲା। ମାତ୍ର ରାଜସ୍ଥାନ ସଙ୍କଟ କାରଣରୁ ଏ ପର୍ଯ୍ୟନ୍ତ କେହି ବି ପ୍ରାର୍ଥୀ ପତ୍ର ଦାଖଲ କରି ନାହାନ୍ତି। ଗେହଲଟ ଗୋଷ୍ଠୀଙ୍କ ଜିଦ୍ ଯୋଗୁଁ ରାଜସ୍ଥାନରେ ସୃଷ୍ଟଡି ରାଜନୈତିକ ସଙ୍କଟ ଅଧ୍ୟକ୍ଷ ପଦ ନିର୍ବାଚନକୁ ଆଶଙ୍କା ଭିତରକୁ ଠେଲି ଦେଇଛି। ଗେହଲଟ୍ ଙ୍କ ଅଧ୍ୟକ୍ଷ ହେବା ପରିପ୍ରେକ୍ଷୀରେ ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବା କଂଗ୍ରେସ ପାଇଁ ଅପରିହାର୍ଯ୍ୟ ଥିଲା। ତେଣୁ ଗତକାଲି ରାଜସ୍ଥାନ କଂଗ୍ରେସର ବିଧାୟକ ଦଳ ବୈଠକ ଡକାଯାଇଥିଲା। ହେଲେ ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଆଲୋଚନା ସମୟରେ ସକ୍ରିୟ ହୋଇ ଉଠିଥିଲେ ଗେହଲଟଙ୍କ ସମର୍ଥକ ବିଧାୟକ। ଏପରିକି ୮୨ ବିଧାୟକ ଇସ୍ତଫା ମଧ୍ୟ ଦେଇ ସାରିଛନ୍ତି। ଏବେ ଦେଖିବା ବାକି ରହିଲା କଂଗ୍ରେସ ହାଇକମାଣ୍ଡଙ୍କ ପରବର୍ତ୍ତୀ ପଦକ୍ଷେପ କଣ ହେଉଛି।

Get real time updates directly on you device, subscribe now.