fbpx

ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ: ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ ୨୪ରେ ବଜେଟ ଉପସ୍ଥାପନ

Advertisement

ଭୁବନେଶ୍ୱର: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ। ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ୨୧ତାରିଖ ଅର୍ଥାତ ମଙ୍ଗଳବାର ଠାରୁ ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲୁ ରହିବ। ଦୁଇଟି ପର୍ଯ୍ୟାୟରେ ମୋଟ ୨୭ଦିନ ଧରି ଏହି ଅଧିବେଶନ ବସିବ। ୨୪ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଏହି ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଅଧିବେଶନ ପୂର୍ବରୁ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ସହ ପୋଲିସ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ନିର୍ଦ୍ଦେଶକଓ ଆଇନ ଶୃଙ୍ଖଳାର ବରିଷ୍ଠ ଅଧିକାରୀମାନେ ସ୍ଥିତି ଯାଞ୍ଚ କରିଛନ୍ତି। ବିଧାନସଭାର ଆଖାପାଖ ଅଞ୍ଚଳକୁ ପୋଲିସ ଛାଉଣୀରେ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ୩୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ରୁଫ୍‌ଟପ୍‌ ସୁକ୍ୟୁରିଟି, କ୍ୱିକ୍ ରିଆକ୍ସନ ଟିମ୍‌, ଡଗ୍‌ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଦଳକୁ ମଧ୍ୟ ନିୟୋଜିତ କରାଯାଇଛି। ଡିସିପିଙ୍କ ନେତୃତ୍ୱରେ ୧୦ଜଣ ଅତିରିକ୍ତ ଡିସିପି, ୧୧ଜଣ ଏସିପି, ୧୩ଜଣ ଇନ୍ସପେକ୍ଟର ଓ ୨୦୦ଜଣ କନ୍‌ଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି।

ଏହି ଅଧିବେଶନକୁ ସୁରୁଖୁରୁରେ ସମାପନ କରିବା ପାଇଁ ବାଚସ୍ପତି ବ୍ରିକମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସହମତି ଭିତ୍ତିରେ ଗୃହକାର୍ଯ୍ୟ ଚାଲିବା ନେଇ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ଆରୁଖ କହିଥିଲେ । ସେ ଆହୁରି କହିଥିଲେ ଯେ, ଯେଉଁମାନେ ଅସୁସ୍ଥ ରହିଥିବେ ସେମାନେ ଭର୍ଚୁଆଲ ମୋଡରେ ଗୃହ କାର୍ଯ୍ୟରେ ଯୋଗଦେଇ ପାରିବେ। ତେବେ ସର୍ବଦଳୀୟ ବୈଠକ ଭର୍ଚୁଆଲ ମୋଡରେ କରାଯିବାର ପ୍ରତିବାଦରେ ବିଜେପି ଏହି ବୈଠକରେ ଯୋଗ ଦେଇନଥିଲା। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ବୈଠକ ଅଧାରୁ ଉଠି ଆସିଥିଲେ। ସେ କହିଥିଲେ ଯେ, ଭର୍ଚୁଆଲ ମୋଡ ବୈଠକକୁ ଆମେ ବିରୋଧ କରୁଛି। ସମସ୍ତେ ଗୃହରେ ଆସି ବୈଠକରେ ଭାଗ ନିଅନ୍ତୁ ବୋଲି ସେ ଦାବି କରିଥିଲେ। ସେ କହିଥିଲେ ସଂସଦ କିମ୍ବା ଅନ୍ୟ କୌଣସି ବିଧାନସଭାରେ ଏଭଳି ଭର୍ଚୁଆଲର ବ୍ୟବସ୍ଥା ନଥିବାବେଳେ ଓଡ଼ିଶାରେ କାହିଁକି ଏପରି କରାଯାଉଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଦଳଙ୍କ ପାଇଁ ସପ୍ତାହରେ କେତୋଟି ମୁଲତବୀ ପ୍ରସ୍ତାବ ଭାଗ ପଡିବ ସେ ନେଇ ମଧ୍ୟ ସ୍ଥିର କରାଯାଇଥିଲା । ଏହି ସର୍ବଦଳୀୟ ବୈଠକରେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ପ୍ରତାପ ଦେବ, ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର, ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଚଳିତ ଅଧିବେଶନରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରେସ୍ ଗ୍ୟାଲେରୀରେ ଉପସ୍ଥିତ ରହିପାରିବେ ଏବଂ ସାଧାରଣ ଦର୍ଶକମାନେ ମଧ୍ୟ ଦର୍ଶକ ଗ୍ୟାଲେରୀକୁ ଆସିପାରିବେ । ଦର୍ଶକମାନଙ୍କୁ ବିଧାୟକମାନଙ୍କ ଜରିଆରେ ଦର୍ଶକ ଗ୍ୟାଲେରୀପାଇଁ ପରିଚୟପତ୍ର ପ୍ରଦାନ କରାଯିବ ।

Get real time updates directly on you device, subscribe now.