fbpx

ଆସାମ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ରାଣା ଗୋସ୍ୱାମୀଙ୍କ ଇସ୍ତଫା: ପଦ ଛାଡ଼ିଲେ, ଦଳ ବି ଛାଡ଼ିଲେ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସେନେଇ ରାଜନୈତିକ ଦଳମାନେ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଏବେଠାରୁ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ବିଶେଷ କରି ଦେଶର ସର୍ବପୂରାତନ ଦଳ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବାରେ ଲାଗିଛି । ନିକଟରେ ବିଭିନ୍ନ ରାଜ୍ୟର କିଛି ବିଧାୟକ ଓ ପୂର୍ବତନ ବିଧାୟକ କଂଗ୍ରେସ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇଥିବା ବେଳେ ଗତ ୨୭ ତାରିଖରେ ରାଜ୍ୟସଭା ନିର୍ବାଚନରେ ଦଳକୁ ଏକ ବଡ଼ ଝଟକା ଲାଗିଥିଲା ।

ଗତକାଲି ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ୬ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିବା ବେଳେ ଆଜି ରାଜ୍ୟ କ୍ୟାବିନେଟରୁ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂହ ଇସ୍ତଫା ଦେଇଥିଲା । ତେବେ ଏହା ମଧ୍ୟରେ ଆଜି ଆସାମ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ରାଣା ଗୋସ୍ୱାମୀ ଇସ୍ତଫା ଦେଇଛନ୍ତି । କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରୁ ଓ ଦଳରୁ ରାଣା ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ରାଣା ଭାଜପାକୁ ସମର୍ଥନ ଦେବା ନେଇ ବୟାନ ଦେଇଥିଲେ । ବିଭିନ୍ନ ରାଜନୈତିକ କାରଣରୁ ସେ ପଦ ଓ ଦଳ ଛାଡ଼ୁଥିବା ରାଣା କହିଥିଲେ । ଗତକାଲି ସେ ନିଜର ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ତେଣୁ ସେ ବିଜେପି କିମ୍ବା ଆସାମ ଗଣ ପରିଷଦରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା । ସୂଚନାଯୋଗ୍ୟ ଯେ, ଗତକାଲି ବିହାରର ଦୁଇଜଣ କଂଗ୍ରେସ ବିଧାୟକ ମୁରାରି ପ୍ରସାଦ ଗୌତମ ଓ ସିଦ୍ଧାର୍ଥ ଗୌତମ ବିଜେପିରେ ସାମିଲ ହୋଇଥିଲେ । ଏଥିସହିତ ଆରଜେଡି ବିଧାୟକ ସଙ୍ଗୀତା କୁମାରୀ ମଧ୍ୟ ପଦ୍ମ ଧରିଥିଲେ ।

Get real time updates directly on you device, subscribe now.