fbpx

ଭୂମିର ପୃଥିବୀରେ କେବଳ କାଳିଆ, ସ୍ତୋତ୍ର ଓ ସଂସ୍କୃତି ଉଚ୍ଚାରଣରେ ଚମକାଇ ଦେଉଛନ୍ତି

ବ୍ରହ୍ମପୁର(ଓଡ଼ିଶା ଭାସ୍କର): କାଳିଆର ଭୂମି ଆଉ ଭୂମିର କାଳିଆ । ଏଭଳି ଏକ ବିରଳ ଶାଶ୍ୱତ ଭାବର ବନ୍ଧନ ଦେଖିବାକୁ ମିଳିଛି । କାଳିଆ କଥା ଉଚ୍ଚାରଣ ଓ ଗୀତଗୋବିନ୍ଦ ବୋଲିବାରେ ବେଶ୍ ଧୁରୀଣା ସେ । ଜଗନ୍ନାଥାଷ୍ଟକର ଶ୍ଳୋକକୁ ମନେରଖିବା ସହ ଠିକ୍ ଉଚ୍ଚାରଣ କରି ସମସ୍ତଙ୍କୁ ଚମକାଇ ଦେଉଛନ୍ତି । ଖାଲି ସେତିକି ନୁହେଁ, ଗୀତଗୋବିନ୍ଦଠାରୁ ଆରମ୍ଭ କରି ଗୌରୀ ନାରାୟଣ ସ୍ତୁତି ମଧ୍ୟ ସେ ବେଶ୍ ଭଲ ଭାବେ ବୋଲିପାରନ୍ତି । ସେହିଭଳି ସୂର୍ଯ୍ୟ ନମସ୍କାର ସ୍ତୋତ୍ରମ । ହାତରେ ଜପାମାଳି ଓ ବେକରେ ରୁଦ୍ରାକ୍ଷା । ପାଟିରେ ଜଗନ୍ନାଥଙ୍କ ନାମ ଓ ଶ୍ଳୋକ । ତେବେ ଓଡ଼ିଆ ଭାଷା ପଢ଼ିବା ଅବା ଲେଖି ଜାଣିନାହାନ୍ତି । ଶ୍ରୀକ୍ଷେତ୍ର ପୁରୀ ଯାଇ ନାହାନ୍ତି କି ଦାରୁଦିଅଁ ଦେଖିନାହାନ୍ତି । କିନ୍ତୁ ଓଡ଼ିଆ ସଂସ୍କୃତି, ପରମ୍ପରା ଓ କାଳିଆ ପ୍ରେମରେ ବନ୍ଧା ୬ ବର୍ଷୀୟା ବିସ୍ମୟ ବାଳିକା ଭୂମି ଶତରୂପା । ଆଜିକା ସମାଜରେ ପିଲାଏଁ ନିଜ ସଂସ୍କୃତି ପରମ୍ପରାରୁ ଧୀରେ ଧୀରେ ଦୂରେଇ ଯାଉଥିବାବେଳେ ଏହି କୁନି ଝିଅଟି ଓଡ଼ିଶା ବାହାରେ ରହି ମଧ୍ୟ ଜଗନ୍ନାଥ ସଂସ୍କୃତି ବିଷୟରେ ପ୍ରଚାର ପ୍ରସାର କରିବାରେ ଏକ ବଳିଷ୍ଠ ମାଧ୍ୟମ ସାଜିଛନ୍ତି ।

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଫକୀର ମୋହନ ନାହାକ ଓ ମାତା ଗୀତାଞ୍ଜଳି ନାହାକଙ୍କ କନ୍ୟା ହେଉଛନ୍ତି ଭୂମି । ଭୂମିଙ୍କ ଘର ଗଞ୍ଜାମ ଜିଲ୍ଲାର ହରିପୁର ବୁଡ଼ିଗାଁ ହୋଇଥିବାବେଳେ ସମ୍ପ୍ରତି ସେ ପିତାମାତାଙ୍କ ସହିତ ପଞ୍ଜାବର ମୋହାଲିଠାରେ ରହୁଛନ୍ତି । ଭୂମିଙ୍କ ‘ଭୂମିସ୍ ୱାର୍ଲ୍ଡସ୍’ ବା ‘ଭୂମିର ପୃଥିବୀ’ ନାମକ ତାଙ୍କର ଏକ ନିଜର ଫ୍ଲାଟୁବ ଚ୍ୟାନେଲ୍ ମଧ୍ୟ ରହିଛି । ସେଥିରେ କେବଳ କାଳିଆ କଥା ପ୍ରଚାରିତ ହୁଏ । ଭୂମିଙ୍କ ବୟସ ମାତ୍ର ୬ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ପ୍ରଖର ଜ୍ଞାନ ଓ ଆଧାତ୍ମିକ ଚେତନା ପାଇଁ ସେ ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ବୟସର ପିଲାମାନେ ଠିକରେ କଥା କହିପାରୁନଥିବା ବେଳେ ଭୂମି ଅନାୟାସରେ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ପ୍ରତିଦିନ ଘରେ ବାପା ମା’ ପୂଜା କରିବା ସମୟରେ ବୋଲୁଥିବା ମନ୍ତ୍ରପାଠ ଦେଖିଶୁଣି ସେଗୁଡ଼ିକୁ ମନେରଖିଛନ୍ତି । ଭୂମିଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଅନାବିଳ ପ୍ରେମ ସମସ୍ତଙ୍କୁ ଚମକାଇ ଦେଇପାରୁଛି । ସମସ୍ୟା ସମାଧାନ ପାଇଁ ବଡ଼ ଠାକୁରଙ୍କୁ ସୁମରଣା କରିବାକୁ ପରାମର୍ଶ ଦିଅନ୍ତି ଭୂମି ।

ମାତ୍ର ୩ବର୍ଷ ବୟସରୁ ଗାୟତ୍ରୀ ମନ୍ତ୍ର ସହ ବିଭିନ୍ନ ମନ୍ତ୍ର ବୋଲିବା ଆରମ୍ଭ କରିଥିଲେ ଭୂମି । ସେ ବର୍ତ୍ତମାନ ପ୍ରଥମ ଶ୍ରେଣୀରେ ପଢୁଛନ୍ତି । ଜଗନ୍ନାଥ ସଂସ୍କୃତିକୁ ଭଲପାଇବା ସହ ଭଜନ, ଗୀତ, ନାଚ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ରୁଚି ରହିଛି । ପୁରୀ ଆସି କାଳିଆକୁ ଦର୍ଶନ କରିବା ଇଚ୍ଛା ଥିଲେ ହେଁ କରୋନା ଯୋଗୁଁ ତାହା ସମ୍ଭବ ହୋଇନାହିଁ । ସତରେ ସବୁ ସେଇ କାଳିଆର ଲୀଳା ଆଉ ତାରି ଡୋରି…

Get real time updates directly on you device, subscribe now.