ମୋରୋକ୍କୋରେ ବୁଡ଼ିଲା ସ୍ପେନ୍ ଅଭିମୁଖେ ଯାଉଥିବା ଡ଼ଙ୍ଗା: ୬୯ ଜଣ ପ୍ରବାସୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାରୁ ସ୍ପେନ୍ ଅଭିମୁଖେ ଯାଉଥିବା ଏକ ଡଙ୍ଗା ମୋରୋକ୍କୋରେ ବୁଡ଼ି ଯିବାରୁ ୬୯ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ୨୫ ଜଣ ମାଲିୟାନ ଥିଲେ । ଅସ୍ଥାୟୀ ଡଙ୍ଗାରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ମାତ୍ର ୧୧ ଜଣ ଯାତ୍ରୀ ବଞ୍ଚି ଯାଇଛନ୍ତି ।

ଏନେଇ ମାଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ୧୧ ଜଣଙ୍କ ମଧ୍ୟରୁ ୯ ଜଣ ମାଲିର ବୋଲି ଜଣାପଡ଼ିଛି । ଗତ ସପ୍ତାହରେ ଡଙ୍ଗାଟି ବୁଡ଼ିଯାଇଥିଲା, କିନ୍ତୁ ମାଲି ଏବେ ଏହାକୁ ନିଶ୍ଚିତ କରିଛନ୍ତି ।

ସ୍ଥିତି ଆକଳନ କରିବା ପାଇଁ ମାଲି ଏହାର କ୍ରାଇସିସ୍ ୟୁନିଟ୍ ପଠାଇଛି । ମାଲି ଦୀର୍ଘ ଦିନ ଧରି ଜିହାଦୀ ଏବଂ ବିଚ୍ଛିନ୍ନତାବାଦୀ ହିଂସାର ଶିକାର ହୋଇ ଆସୁଛି । ଫଳରେ ୨୦୨୦ ଓ ୨୦୨୧ରେ ଦେଶରେ ସାମରିକ ବିଦ୍ରୋହ ହୋଇଥିଲା ।

ସାମରିକ ସରକାର ମାର୍ଚ୍ଚ ୨୦୨୪ରେ ସାଧାରଣ ନିର୍ବାଚନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ନିର୍ବାଚନ ହୋଇନାହିଁ । ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ଲୋକ ବେଆଇନ ଭାବେ ୟୁରୋପରେ ପହଞ୍ଚିବା ପାଇଁ ଆଟଲାଣ୍ଟିକ୍ ମାର୍ଗ ବ୍ୟବହାର କରୁଛନ୍ତି ।