fbpx

ସୂର୍ଯ୍ୟ କିରଣରେ ଝଲସିଲା ପୁଣେ: ଯାଦବଙ୍କ ଧୂଆଁଧାର ପାଳି ସହ ମୁମ୍ବାଇ ଦେଲା ୧୫୨ ରନର ଟାର୍ଗେଟ

AAKASH

ମୁମ୍ବାଇ: ପ୍ରାରମ୍ଭିକ ଝଟକା ପରେ ମଧ୍ୟ ୧୫୦ ରନ ଅତିକ୍ରମ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏକଦା ୧୦୦ ରନ ଛୁଇଁବା ଆଶା କ୍ଷୀଣ ହୋଇଯାଇଥିବା ବେଳେ ବାଙ୍ଗାଲୋରକୁ ଲାଗିଥିଲା ସୂର୍ଯ୍ୟପରାଗ । ୧୮୩ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଛନ୍ତି ସୂର୍ଯ୍ୟକୁମାର ଯାଦବ । ଫଳରେ ବାଙ୍ଗାଲୋରକୁ ମିଳିଛି ୧୫୨ ରନର ଲକ୍ଷ୍ୟ ।

ଆରସିବିର ଅଧିନାୟକ ଟସି ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହା ତାଙ୍କ ପାଇଁ ପ୍ରଥମେ ଠିକ ପ୍ରମାଣିତ ହୋଇଥିଲା । ୧୪ ଓଭର ଶେଷ ସୁଦ୍ଧା ୮୦ ରନରେ ୬ ୱିକେଟ ହରାଇ ବ୍ୟାକଫୁଟରେ ଥିଲା ମୁମ୍ବାଇ ଇଣ୍ଡିଆନ୍ସ । କିନ୍ତୁ ଏଇଠି ଆରମ୍ଭ ହୋଇଥିଲା ସୂର୍ଯ୍ୟ ଶୋ’ । ୧୫ତମ ଓଭରରେ ଦୁଇଟି ବାଉଣ୍ଡ୍ରି ସହିତ ୧୨ ରନ ସଂଗ୍ରହ କରିଥିଲେ ସୂର୍ଯ୍ୟକୁମାର । ଏହାପରେ ଆରସିବିର ସମସ୍ତ ବୋଲରମାନଙ୍କ ଜଣକ ପରେ ଜଣେ ଧୂଲାଇ କରିଚାଲିଲେ । ଶେଷରେ ୧୮୩ ଷ୍ଟ୍ରାଇକ ରେଟରେ ମାତ୍ର ୩୭ ବଲରୁ ୫ ଚୌକା ଏବଂ ୬ ଛକା ସହ ୬୮ ରନର ଧମାକାଦାର ପାଳି ଖେଳିଛନ୍ତି ସୂର୍ଯ୍ୟ । ମୁମ୍ବାଇର ଟପ ଅର୍ଡର ଏବଂ ମିଡିଲ ଅର୍ଡର ଏକଦମ ଫେଲ ମାରିଥିବା ବେଳେ ସୂର୍ଯ୍ୟକିରଣରେ ଚମକି ଉଠିଛି ମୁମ୍ବାଇ ପଲଟନ । ତେବେ ସୂର୍ଯ୍ୟକୁମାରଙ୍କୁ ଖୁବ ସାହଯ୍ୟ କରିଛନ୍ତି ଦ୍ରୁତ ବୋଲର ଜୟଦେବ ଉନାଦକତ । ଏହାବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ସଫଳ ହୋଇ ନାହାନ୍ତି । ଏପରିକି ୫ ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁପାରି ନାହାନ୍ତି ।

ସେପଟେ ବାଙ୍ଗାଲୋର ପକ୍ଷରୁ ବୋଲିଂ କରି ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ମହମ୍ମଦ ସିରାଜ । ୪ ଓଭରରେ ୫୧ ରନ ବ୍ୟୟ କରି ୱିକେଟ ମଧ୍ୟ ନେବାରେ ଫେଳ ମାରିଛନ୍ତି । ୱାନିନ୍ଦୁ ହସରଙ୍ଗା ଏବଂ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଆକାଶ ଦୀପଙ୍କୁ ଗୋଟିଏ ୱିକେଟ ମିଳିଛି । ପ୍ରଥମ ଇନିଂସ ଶେଷ ସୁଦ୍ଧା ମୁମ୍ବାଇ ବାଙ୍ଗାଲୋରକୁ ୧୫୨ ରନର ଲକ୍ଷ୍ୟ ଦେଇଛି ।

Get real time updates directly on you device, subscribe now.