fbpx
BJD SKY
BJD SKY

ଅଯୋଧ୍ୟାରେ ଏବେ ଲୋକ ଓ ଗାଡିକୁ ‘No Entry’, ସୁରକ୍ଷାରେ ୨୦ ହଜାର ଯବାନ

BJD

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ୨୨ ଜାନୁଆରୀ ସୋମବାର ଦିନ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର ବହୁ ବଡ ବ୍ୟକ୍ତିମାନେ ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ରାମନଗରୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରରେ ବାହାର ଲୋକ ଏବଂ ଯାନବାହାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ସ୍ଥାନୀୟ ଲୋକଙ୍କୁ ବାହାରକୁ ନ ଯିବାକୁ ନିବେଦନ କରାଯାଇଛି । ଏଠାରେ ଥିବା ପ୍ରତ୍ୟେକ ପ୍ରବେଶ ପଏଣ୍ଟରେ ପୋଲିସ ଏବଂ ଏଟିଏସ୍ କମାଣ୍ଡୋ ନିୟୋଜିତ ହୋଇଛନ୍ତି ।

ମୁଖ୍ୟ ସ୍ଥାନର ପ୍ରତ୍ୟେକ କୋଣ ଅନୁକୋଣରେ ମଧ୍ୟ କଡ଼ା ସୁରକ୍ଷା ରହିଛି । ଶନିବାରଠାରୁ ଆସନ୍ତା ୩ ଦିନ ପାଇଁ ବାହାର ଲୋକଙ୍କୁ ଅଯୋଧ୍ୟାରେ ପ୍ରବେଶ କରିବାକୁ ବାରଣ କରାଯାଇଛି । ଯଦିଓ ଅଯୋଧ୍ୟା ଧାମ ଏବଂ ସହରରେ ରହୁଥିବା ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚିବାକୁ ଅନୁମତି ଦିଆଯିବ, କିନ୍ତୁ ଏଥିପାଇଁ ସେମାନଙ୍କ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ ହେବ । ଅଯୋଧ୍ୟା ଧାମ ୨୦ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ହାଇ ସିକ୍ୟୁରିଟୀ ଜୋନରେ ରହିବ । ଏଥିସହ ରବିବାର ଏବଂ ମଙ୍ଗଳବାର (ଜାନୁୟାରୀ ୨୧ ଏବଂ ୨୨) ରେ ବାହାରକୁ ନ ଯିବାକୁ ପୋଲିସ ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ନିବେଦନ କରିଛି ।

ଅନେକ ମାର୍ଗକୁ ଡାଇଭର୍ଟ କରାଯାଇଛି :-
ଅଯୋଧ୍ୟା ଧାମରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ଗୌତମ ଆଦାନୀ ଏବଂ ସଚିନ ତେନ୍ଦୁଲକରଙ୍କ ସମେତ ବହୁ ସଂଖ୍ୟାରେ ସାଧୁ, ଭକ୍ତ ଏବଂ ପ୍ରାୟ ୮ ହଜାର ସେଲିବ୍ରିଟିଙ୍କ ଆଗମନକୁ ଦୃଷ୍ଟିରେ ରଖି ଜାନୁୟାରୀ ୨୦ ତାରିଖ ରାତି ୮ ଟାରୁ ରୁଟ୍ ଡାଇଭର୍ଟ କରାଯାଇଛି । ଶନିବାର ଠାରୁ ସହର ଭିତରେ ବାହ୍ୟ ଯାନବାହାନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବର୍ତ୍ତମାନ କେବଳ ଏଠାରେ ରହୁଥିବା ଲୋକଙ୍କୁ, ସରକାରୀ ଗାଡି କିମ୍ବା ଜରୁରୀକାଳୀନ ଯାନକୁ ସହରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହା ସହ କେବଳ ଅନୁମତିପ୍ରାପ୍ତ ଯାନଗୁଡିକ ପ୍ରବେଶ କରିବାକୁ ସମର୍ଥ ହେବେ ।ପୋଲିସ କହିଛି ଯେ ଗାଡିଗୁଡିକ ଡାଇଭର୍ସନ ଅନୁଯାୟୀ ନିଆଯିବା ଉଚିତ ଏବଂ ସେମାନଙ୍କ ସହ ଆବଶ୍ୟକ ପ୍ରମାଣପତ୍ର ମଧ୍ୟ ରଖିବାକୁ ହେବ । ଏଥିସହ ସୁରକ୍ଷା ବ୍ୟବସ୍ଥାରେ ୨୦ ହଜାର ଯବାନଙ୍କୁ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.