ବାବା ଧବଳେଶ୍ୱର ପୀଠର ହେବ ନବକଳେବର, ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ସୂଚନା ଦେଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ବାରଙ୍ଗ (ଭାସ୍କର ନ୍ୟୁଜ୍): ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ କରାଯାଉଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ଧବଳେଶ୍ୱର ପୀଠର ଭିତିଭୂମି ଓ ପାରପାଶ୍ୱର୍କ ଉନ୍ନତି କରାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କହିଛନ୍ତି । ପ୍ରକଳ୍ପର ସ୍ଥତି ଏସ୍ ଆଣ୍ଡ ଜେ ଅସୋସିଏଟସ୍ ଚଳିତ ମାସ ୯ ତାରିଖରେ ଦେବୋତର ବିଭାଗର ଅଧିକାରୀଙ୍କ ସହିତ ପୀଠ ସ୍ଥାନ ପରିଦର୍ଶନ କରି ନିରୁମା କ୍ୟାମ୍ପସ୍ ନିକଟରେ ଥିବା ଅବଶିଷ୍ଟ ୧୧ଗୋଟି କୋଠରୀର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବେ ।
ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ଆଠଗଡ଼ର ଉପଜିଲ୍ଲାପାଳ ଏବଂ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍ ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ପ୍ଲାନ ଏବଂ ବ୍ୟୟ ଅଟକଳ ଚୂଡ଼ାନ୍ତ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର, ରାସ୍ତା ଓ ଗୃହ ନିର୍ମାଣ, ଚାରବାଟିଆ ଡିଭିଜନ୍ ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ଼ ରାସ୍ତା ଓ ଗୃହ ନିର୍ମାଣ ସେକ୍ସନ୍ ର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କ ସମେତ ଏସ୍ ଆଣ୍ଡ ଜେ ଆସୋସିଏଟସ୍ ର କର୍ମକର୍ତାମାନେ ଉପସ୍ଥିତ ଥିଲେ ।