fbpx

ସୁରଟରେ ପାକିସ୍ତାନ ଫୁଡ ଫେଷ୍ଟିଭାଲ: ଜୟ ଶ୍ରୀରାମ ନାରା ସହିତ ପୋଷ୍ଟର ଜଳାଇଲେ ବଜରଙ୍ଗ ଦଳ

Advertisement

ନୂଆଦିଲ୍ଲୀ: ସୁରଟରେ ପାକିସ୍ତାନ ଫୁଡ ଫେଷ୍ଟିଭାଲ । ଶୁଣିବାକୁ ଟିକିଏ ଅଖାଡୁଆ ନିଶ୍ଚୟ ଲାଗୁଥିବ । ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ସୁରଟର ଏକ ରେଷ୍ଟୁରାଣ୍ଟ ସ୍ୱିଟ୍ ଆଣ୍ଡ ସ୍ପାଇସ ପକ୍ଷରୁ ଏକ ଫୁଡ ଫେଷ୍ଟିଭାଲ ଆୟୋଜନ କରାଯାଇଥିଲା । ଡିସେମ୍ବର ୧୨-୨୨ ମଧ୍ୟରେ ହେଉଥିବା ଏହି ଫୁଡ ଫେଷ୍ଟିଭାଲରେ ମୁଗଲାଇ କୁଜିନକୁ ସ୍ୱତନ୍ତ୍ର ସ୍ଥାନ ମିଳିଥିଲା । ମୁଗଲାଇ ପାକିସ୍ତାନର ସ୍ୱତନ୍ତ୍ରତା ହୋଇଥିବାରୁ ଏହି ଫୁଡ ଫେଷ୍ଟିଭାଲକୁ ପାକିସ୍ତାନ ଫୁଡ ଫେଷ୍ଟିଭାଲ ମଧ୍ୟ ନାମିତ କରାଯାଇଥିଲା । ତେବେ ଆୟୋଜକଙ୍କ ଏଭଳି ପଦକ୍ଷେପ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଦେହରେ ଯାଇନଥିଲା ।

ପାକିସ୍ତାନ ଫୁଡ ଫେଷ୍ଟିଭାଲ ନାମକୁ ନେଇ ବଜରଙ୍ଗ ଦଳ ପକ୍ଷରୁ ବିରୋଧ କରାଯାଇଥିଲା । ରେଷ୍ଟୁରାଣ୍ଟରେ ହଙ୍ଗାମା କରିବା ସହିତ ପୋଷ୍ଟର ଗୁଡିକୁ ଜଳାଇ ଦିଆଯାଇଥିଲା । ବଜରଙ୍ଗ ଦଳର କର୍ମୀ ମାନେ ଜୟ ଶ୍ରୀରାମ ଓ ହର ହର ମହାଦେବର ନାରା ସହିତ ପୋଡାଜଳା କରିଥିଲେ । ବଜରଙ୍ଗ ଦଳ ନେତା ଦେବୀପ୍ରସାଦ ଦୁବେ ହୋଟେଲ ମାଲିକଙ୍କ ସହିତ କଥା ହେବା ପରେ ସେ କ୍ଷମାପ୍ରାର୍ଥନା କରିବା ସହିତ ଫୁଡ ଫେଷ୍ଟିଭାଲର ନାମ ପରିବର୍ତ୍ତନ କରିଥିଲେ । ଏହା ସହିତ ପାକିସ୍ତାନୀ ଶବ୍ଦ କିଛି ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବାରୁ ଏହାକୁ ହଟାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ରେଷ୍ଟୁରାଣ୍ଟ ମାଲି ସନ୍ଦୀପ ଦୱାର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.